Odisha Link
Bridging the Missing Links in Odisha

ରାଜଧାନୀରେ ଅନ୍‌ଲାଇନ୍‌ରେ ମିଳିବ ମଦ, ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍‌ରେ କରିପାରିବେ ଅର୍ଡର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନ୍‌ଲାଇନ୍‌ରେ ମିଳିବ ମଦ। ଲକ୍‌ଡାଉନରେ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଦୋକାନୀମାନେ ଅନ୍‌ଲାଇନ୍‌ ଜରିଆରେ ମଦ ବିକ୍ରି କରିପାରିବେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ଲାଗି ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି।

ଗ୍ରାହକମାନେ ଫୋନ୍ ଯୋଗେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍‌ ଜରିଆରେ ଅନ୍‌ଲାଇନ୍‌ରେ ମଦ ଅର୍ଡର କରିପାରିବେ। ତେବେ ମଦ ଦୋକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ମଦ ନେବା ଆଣିବା ପାଇଁ ଦୋକାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯା’ଆସ କରିପାରିବେ।

ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ଲାଗି ନିୟମାବଳୀ ଜାରି କରାଯାଇଛି। ଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି କେଉଁ ଅଞ୍ଚଳର ଦୋକାନୀ କେଉଁ ଦିନ ମଦ ଉଠାଇ ପାରିବ ସେ ନେଇ ଧାର୍ଯ୍ୟ ତାଲିକା ପ୍ରସ୍ତୁତ କରାଯାଇଛି।