Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ଷ୍ଟାର କ୍ରିକେଟରା ମହମ୍ମଦ ହାଫିଜ। ଏନେଇ ଆଜି ମହମ୍ମଦ ହାଫିଜ କରିଛନ୍ତି ଘୋଷଣା। ହେଲେ ସେ ପୂର୍ବପରି କ୍ରିକେଟ ଖେଳିବା ଜାରି ରଖିବେ। ଅର୍ଥାତ୍‌ ସେ ଟି-୨୦ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ମହମ୍ମଦ ହାଫିଜ କହିଛନ୍ତି।

ଦୀର୍ଘ ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ୪୧ ବର୍ଷିୟ ହାଫିଜ। ୨୦୦୩ ଏପ୍ରିଲ୍‌ ମାସରେ ହାଫିଜଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ସେହି ବର୍ଷ ଅଗଷ୍ଟ ମାସରେ ସେ ଟେଷ୍ଟ୍ ଡେବ୍ୟୁ କରିଥିଲେ। ବାଂଲାଦେଶ ବିରୋଧରେ ସେ ଖେଳିଥିଲେ ପ୍ରଥମ ଟେଷ୍ଟ। ୨୦୦୬ରେ ଇଂଲଣ୍ଡ ବିରୋଧରେ ସେ ତାଙ୍କର ପ୍ରଥମ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ।

ହାଫିଜ୍ ଶେଷଥର ପାଇଁ ୨୦୧୮ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୧୯ ଜୁଲାଇରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ ଶେଷ ଦିନିକିଆ। ୨୦୨୧ ନଭେମ୍ବରରେ ସେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହା ଟିଟ୍ୱେଣ୍ଟି ମ୍ୟାଚ୍ ଥିଲା।

ହାଫିଜ୍‌ ୨୦୧୮ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ୨୦୧୯ ବିଶ୍ୱକପ୍‌ ପରେ ତାଙ୍କୁ ଆଉ ଦିନିକିଆ ଦଳରେ ସୁଯୋଗ ମିଳୁ ନଥିଲା। ପୂର୍ବରୁ ୨୦୨୦ ଟି-୨୦ ବିଶ୍ୱକପ୍‌ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସେ ଘୋଷଣା କରିଥିଲେ। ତେବେ କୋଭିଡ୍ ଯୋଗୁ ତାହା ଘୁଞ୍ଚି ଯିବାରୁ ସେ ଟିମ୍ ସହିତ ରହିଥିଲେ। ତାଙ୍କ ନେତୃତ୍ୱରେ ପାକିସ୍ତାନ ୨୯ଟି ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟିରେ ବିଜୟ ହାସଲ କରିଛି।

ସୂଚନାଥାଉକି, ୫୫ଟି ଟେଷ୍ଟ ମ୍ୟାଚ୍ ଖେଳି ହାଫିଜ୍‌ ୩,୬୫୨ ରନ୍ କରିଥିବା ବେଳେ ୫୩ଟି ୱିକେଟ୍ ନେଇଛନ୍ତି। ଟେଷ୍ଟରେ ସେ ୧୦ଟି ଶତକ ଓ ୧୨ଟି ଅର୍ଦ୍ଧଶତକ କରିଛନ୍ତି। ସେହିପରି ୨୧୮ଟି ଦିନିକିଆ ମ୍ୟାଚ୍‌ରୁ ସେ ୬,୬୧୪ ରନ୍ କରିଛନ୍ତି। ଏଥିରେ ଅଛି ୧୧ଟି ଶତକ ଓ ୩୮ଟି ଅର୍ଦ୍ଧଶତକ। ଦିନିକିଆରେ ସେ ୧୩୯ଟି ୱିକେଟ୍ ମଧ୍ୟ ନେଇଛନ୍ତି। ହାଫିଜ୍ ୧୧୫ଟି ଅନ୍ତର୍ଜାତୀୟ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥରୁ ୨,୪୪୦ ରନ୍ (୧୪ଟି ଅର୍ଦ୍ଧଶତକ) କରିଛନ୍ତି। ଏହି ଫର୍ମାଟ୍‌ରେ ସେ ୬୧ ୱିକେଟ୍ ନେଇଛନ୍ତି।

Leave A Reply

Your email address will not be published.