ତାବ୍ଲିଘି ଜମାତ୍: ଆନ୍ଧ୍ରପ୍ରଦେଶରେ ୪୦ ଶିଶୁ କରୋନା ଆକ୍ରାନ୍ତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଦେଶର ସର୍ବାଧିକ ଶୁଶୁ-କିଶୋର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ୩ରୁ ୧୭ ବର୍ଷ ବୟସ ମଧ୍ୟରେ ୪୦ ଜଣଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଥିବା ଜଣାପଡ଼ିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୨୪ ଜଣ ମହିଳା ଅଛନ୍ତି। ସମସ୍ତ ଶିଶୁ ତାବ୍ଲିଘି ଜମାତ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ମହିଳାଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ସେହି ସୂତ୍ରରୁ ରୋଗ ପାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଆନ୍ଧ୍ରପ୍ରଦେଶରେ ଏପ୍ରିଲ ୧୫ ତାରିଖ ସୁଦ୍ଧା ମୋଟ ମୋଟ ୪୭୫ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ଯେଉଁ ୪୦ ଜଣ ଶିଶୁ ଓ କିଶୋର ଅଛନ୍ତି, ସମସ୍ତେ ତବ୍ଲିଘି ଜମାତ ମର୍କାଜ୍ ଅଂଶଗ୍ରହଣକାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ଅନୁରୂପ ଭାବେ ମହିଳା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଜମାତୀ ସଂସ୍ପର୍ଶରେ ଅଆସିଛନ୍ତି। ଏପରିକି ଗୋଟିଏ ଗୋଟିଏ ପରିବାରର ସମସ୍ତ ମହିଳା – ସ୍ତ୍ରୀ, ଝିଅ, ଭଉଣୀ, ମା’, ବୁଢ଼ୀମା’ – କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ନିଜାମୁଦ୍ଦିନ୍ ମର୍କାଜ୍ରୁ ଫେରିଥିବା ବ୍ୟକ୍ତି ପ୍ରଥମେ ନିଜ ଠାରେ ରୋଗ ଥିବା ନେଇ ଅଜ୍ଞ ଥିବାରୁ ଏଭଳି ଘଟିଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩୬ ବ୍ୟକ୍ତିଙ୍କର ବୟସ ୬୦ ବର୍ଷରୁ ଅଧିକ। ଗତକାଲି ରାଜ୍ୟରେ ୧୯ ଜଣ ନୂଆ ରୋଗୀ ବାହାରିଛନ୍ତି। ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ଆନ୍ଧ୍ରପ୍ରଦେଶ ସରକାର ଦିନନକୁ ୪୦୦୦ ନମୁନା ପରୀକ୍ଷଣ ପାଇଁ ନିଷ୍ପତ୍ତି ନେଇଛନ୍ତି।