Odisha Link
Bridging the Missing Links in Odisha

ଭୁବନେଶ୍ୱରସ୍ଥ ଆଇଟିଆଇ ପରିଦର୍ଶନ କଲେ ମନ୍ତ୍ରୀ ପ୍ରେମାନନ୍ଦ

ଭୁବନେଶ୍ୱର :ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ଅଚାନକ ଭୁବନେଶ୍ୱରସ୍ଥିତ ଆଇଟିଆଇକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଆଇଟିଆଇ ପରିସର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷାଦାନର ବ୍ୟବସ୍ଥା, ନିୟମିତତା, ଶୃଙ୍ଖଳା ଆଦି ସଂପର୍କରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ ନାୟକ କହିଲେ ଯେ କୃଷିଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ କୁଶଳୀ ଓ ଦକ୍ଷ ମାନବସଞ୍ଚଳର ଆବଶ୍ୟକତା ରହିଛି । ସରକାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ କର୍ମନିଯୁକ୍ତି ଦିଗକୁ ସର୍ବଦା ଅଗ୍ରାଧିକାର ଦେଇ ଆସୁଛନ୍ତି । ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଦକ୍ଷତା ଏକ ପ୍ରମୁଖ ମାପକାଠି । ବିକାଶଧାରାକୁ ଆଗେଇ ନେବା ପାଇଁ ପରିବର୍ତ୍ତିତ ଶିଳ୍ପାୟନ ଓ ବଜାରର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ମାନବସଞ୍ଚଳର ଦକ୍ଷତା ବୃଦ୍ଧି ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ । ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ଯୁବକଙ୍କୁ ତାଲିମ ମାଧ୍ୟମରେ ସେମାନଙ୍କର ଦକ୍ଷତା ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ପ୍ରମାଣ ପତ୍ର ସର୍ବସ୍ୱ ନହୋଇ ନିଜର ଦକ୍ଷତା ବୃଦ୍ଧି ଉ ପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ମନ୍ତ୍ରୀ ନାୟକ ପରାମର୍ଶ ଦେଇଥିଲେ ।
ଶିକ୍ଷାଦାନର ମାନ, ଗୁଣବତ୍ତା ସହ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ସଂ ପର୍କରେ ଆଇଟିଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଆଭିମୁଖ୍ୟ ଓ ଲକ୍ଷ୍ୟ ସଂପର୍କରେ ଅବଗତ କରାଇବା ସହ ନିଯୁକ୍ତିଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଇଟିଆଇର ଅଧ୍ୟକ୍ଷ ନୀଳିମା ସାହୁ ପ୍ରମୁଖ ଉ ପସ୍ଥିତ ଥିଲେ ।

Comments are closed.