Odisha Link
Bridging the Missing Links in Odisha

ଓଡ଼ିଶାରେ ସାମୁହିକ ବଳାତ୍କାର: ବେଙ୍ଗାଲୁରୁରେ ମା’ ହେଲେ ନାବାଳିକା

ବେଙ୍ଗାଲୁରୁ: ଗର୍ଭବତୀ ହେବାର କୌଣସି ଚିହ୍ନବର୍ଣ୍ଣ ନଥିଲା। ସବୁଦିନ ପରି ସେଦିନ ସକାଳେ ବି ମାଲିକଙ୍କ ଘର ପୋଛୁଥିଲେ ନାବାଳିକା ଚାକରାଣୀ। ଠୁଙ୍କା ହୋଇ ବସିଥିଲେ ସେ। ହଠାତ୍‌ ଚଟାଣ ସାରା ରକ୍ତ ଖେଳେଇ ହୋଇ ପଡ଼ିଲା ଆଉ ସେଇ ରକ୍ତାକ୍ତ ଚଟାଣରେ ନାବଳିକା ଚାକରାଣୀଙ୍କ ପେଟରୁ ଖସିଆସିଲା ନବଜାତ ଶିଶୁ।

ଘଟଣା ଘଟିଛି ଦକ୍ଷିଣ ବାଙ୍ଗାଲୋର ଅଞ୍ଚଳରେ। ଏଠାରେ ଏକ ପରିତ୍ୟକ୍ତ ଆପାର୍ଟମେଣ୍ଟରେ ନିଜ ସମ୍ପର୍କୀୟ ଭଉଣୀମାନଙ୍କ ସହ ରହନ୍ତି ଓଡ଼ିଶାର ଛବି (ଛଦ୍ମନାମ)। ୧୬ ବର୍ଷ ବୟସ୍କାର ଛବି ଅଗଷ୍ଟ ୨୦୧୯ରେ ବାଙ୍ଗାଲୋର ଯାଇଥିଲେ ଓ ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ। ଘର ମାଲିକଙ୍କ କହିବା ଅନୁସାରେ, ଛବିଙ୍କ ଶରୀର ପୂର୍ବାପେକ୍ଷା ଫୁଲିଥିଲା ଓ ଓଜନ ବଢ଼ିଥିଲା। ତେବେ ଓଡ଼ିଶାରେ ଉତ୍କଟ ଦାରିଦ୍ର‍୍ୟ ଦେଇ ଗତି କରିଥିବା ଛବି ସମ୍ଭବତଃ ପେଟପୂରା ଉତ୍ତମ ଖାଦ୍ୟ ଖାଇବା ପରେ ସ୍ବାସ୍ଥ୍ୟବତୀ ହୋଇଛି ବୋଲି ମାଲିକ ଭାବିଥିଲେ।

ଛୁଆ ଜନ୍ମ ହେବା ଯାଏଁ ଛବି ଗର୍ଭବତୀ ହେବାର କୌଣସି ସଙ୍କେତ ମିଳି ନଥିଲା। ସବୁ ଦିନ ଭଳି ସେଦିନ ସେ ଠୁଙ୍କା ହୋଇ ବସି ଘରେ ପୋଛା ମାରୁଥିବା ବେଳେ ଛୁଆଟିଏ ତଳା ଖସିପଡ଼ିଥିଲା। ଛୁଆ ଓ ମା’ଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାକ ନେଇଥିଲେ ଘର ମାଲିକ। ତେବେ ଛବି ବେଙ୍ଗାଲୁରୁ ଯିବାର କିଛି ମାସ ଆଗରୁ ଓଡ଼ିଶାରେ ଦଳେ ଯୁବକଙ୍କ ଦ୍ବାରା ସାମୁହିକ ବଳାତ୍କାରର ଶିକାର ହୋଇଥିଲେ ବୋଲି ଡାକ୍ତରଖାନାରେ ସ୍ବୀକାର କରିଥିଲେ ଛବି।

ଛୁଆଜନ୍ମ ଘଟଣା ନଭେମ୍ବର ୨୦୧୯ରେ ଘଟିଥିଲା। ପରେ ସ୍ଥାନୀୟ ପୁଲିସ ପୋକ୍ସୋ ଆଇନରେ ମାମଲା ରୁଜୁ କରିବା ସହ ଘଟଣା ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ()କୁ ଜଣାଇ ଦିଆଯାଇଥିଲା। ସିଡବ୍ଲୁସି ଛବି ଓ ତାଙ୍କର ଛୁଆକୁ ସ୍ଥନୀୟ ଏକ ସାମାଜିକ ସଂଗଠନକୁ ପଠାଇଦେବା ପରେ ଓଡ଼ିଶାରେ ତାଙ୍କର ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ୨୦୨୦ ଜାନୁଆରୀରେ ଛବି ନିଜର ପରିବାର ଲୋକଙ୍କୁ ଭେଟିବା ସହ ଓଡ଼ିଶା ଚାଲି ଆସିଛନ୍ତି।

ଗର୍ଭ ଥିବା କଥା ଜଣା ନ ପଡ଼ିବା ଓ ହଠାତ୍‌ ଏଭଳି ଛୁଆ ଜନ୍ମ ଘଟଣାକୁ ନେଇ ଉଭୟ ସିଡକ୍ଲୁସି ଓ ଡାକ୍ତର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅନ୍ୟପଟେ ଓଡ଼ିଶା ପୁଲିସ ଏ ମାମଲାରେ ନିଜ ଆଡ଼ୁ ମୁଣ୍ଡ ପୂରାଇ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Comments are closed.