Odisha Link
Bridging the Missing Links in Odisha

ଆଜିଠୁ ଏପ୍ରିଲ ୧୪ ଯାଏ ଦାନଗହିର ଓ ଜୟପୁର ଗାଁ ସଟ୍‌ ଡାଉନ୍

ପୁରୀ: ଆଜିଠୁ ଏପ୍ରିଲ ୧୪ ଯାଏ ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଦାନଗହିର ଓ ଜୟପୁର ଗାଁ ସଟ୍‌ ଡାଉନ୍। ଏନେଇ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଗାଁରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ, ଆଜି ସକାଳ ୭ଟାରୁ ଏହି ସଟ୍‌ ଡାଉନ୍ ଲାଗୁ ହୋଇଛି। ଏହା ଏପ୍ରିଲ୍ ୧୪ ତାରିଖ ମଧ୍ୟରାତ୍ର ଯାଏ ଚାଲିବ। ଦାନଗହିର ଗାଁକୁ ସଟ୍‌ ଡାଉନ୍ କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ୱକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା ହୋଇଛି। ଏହି ସବୁ ଅଞ୍ଚଳରେ ସଟ୍‌ ଡାଉନ୍‌ ଘୋଷଣା ହୋଇଛି।

ଆବଦ୍ଧ ଅଞ୍ଚଳରୁ କେହି ବାହାରକୁ ବାହାରିବା ମନା। ଏପରିକି ଆବଦ୍ଧ ଅଞ୍ଚଳ ମଧ୍ୟକୁ କୌଣସି ବାହାର ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ମନା। ଆବଦ୍ଧ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହା ସହିତ ଉପଜିଲ୍ଲାପାଳଙ୍କୁ ଆବଦ୍ଧ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ବୁଝିବାକୁ କୁହାଯାଇଛି।

ସୂଚନାଥାଉକି, ଗତକାଲି ରାଜ୍ୟ ସରକାର ଭୁବନେଶ୍ବର, କଟକ ଓ ଭଦ୍ରକ ସହରରକୁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ।

Comments are closed.