Odisha Link
Bridging the Missing Links in Odisha

ଦୁଇ ଡୋଜ୍‌ ଟିକା ନେବା ପରେ ବି ଚାଲିଗଲା ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କୋଭିଡ୍‌ରୁ ମୁକ୍ତି ପାଇଁ ଟିକା ଏବେ ସବୁଠୁ ବଡ଼ ସାହାରା ପାଲଟିଥିବା ବେଳେ ଦିଲ୍ଲୀରୁ ଏକ ଦୁଃଖଦ ଖବର ଆସିଛି। ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ ଟିକା ନେବା ପରେ ବି ଏହା ଜୀବନ ରକ୍ଷାକାରୀ ହୋଇ ପାରିନାହିଁ। ଟିକା ନେଇ ସାରିଥିବା ଜଣେ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି।

ଦିଲ୍ଲୀର ସରୋଜ ହସ୍ପିଟାଲରେ ୧୯୯୬ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି ଡାକ୍ତର ଅନୀଲ କୁମାର ରାଓ୍ବତ। ଦୁଇ ସପ୍ତାହ ତଳେ କୋଭିଡ୍‌ ଆକ୍ରାନ୍ତ ହୋଇ ସେ ଘରେ ସଙ୍ଗରୋଧରେ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସରୋଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାର ଆଇସିୟୁକୁ ଯିବା ପୂର୍ବରୁ ସେ ନିଜର ସହକର୍ମୀମାନଙ୍କୁ ବ୍ୟସ୍ତ ନହେବାକୁ ବୋଧ ଦେଇଥିଲେ। ସେ ଦୁଇଟି ଯାକ ଡୋଜ୍‌ କୋଭିଡ୍‌ ପ୍ରତିଷେଧକ ଟିକା ନେଇଥିବାରୁ ତାଙ୍କର କିଛି ହେବନାହିଁ ବୋଲି ସହକର୍ମୀଙ୍କୁ କହିଥିଲେ ଡାକ୍ତର ରାଓ୍ବତ। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି।

ଜଣେ ଅତ୍ୟନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତି ଭାବେ ଉଭୟ ସହକର୍ମୀ ଓ ରୋଗୀଙ୍କପାଖରେ ଜଣାଶୁଣା ଡାକ୍ତର ରାଓ୍ବତଙ୍କ ମୃତ୍ୟୁ ସରୋଜ ହସ୍ପିଟାଲରେ ଶୋକର ଛାୟା ଖେଳାଇ ଦେଇଛି। ଅନ୍ୟପଟେ ଟିକାର କାର୍ଯ୍ୟଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଦିଲ୍ଲୀରେ ଏଯାବତ ପ୍ରାୟ ୩୮ ଲକ୍ଷ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଲକ୍ଷରୁ ଅଧିକ ଜଣ ଦ୍ବିତୀୟ ଡୋଜ୍‌ ଗ୍ରହଣ କରି ସାରିଛନ୍ତି।