Odisha Link
Bridging the Missing Links in Odisha

ଅଥଚ ଚାଣକ୍ୟ: କାନ୍ତାରରେ ଚାଷୀ, ରାଜାଙ୍କ ପ୍ରମୋଦ ପ୍ରେମ

"ଲୋକଙ୍କ ପାଇଁ ଯାହା ନିତାନ୍ତ ଆବଶ୍ୟକ ତାହା ନ କରି ପାର୍କ, କୋଠାବାଡ଼ି ଓ ରାସ୍ତା ଉପରେ ରାସ୍ତା ତୋଳି ଜିଲ୍ଲାରେ ପିସି କାରବାରକୁ କେବଳ ତ୍ବରାନ୍ବିତ କରାଯାଇଛି। ସ୍ଥାନୀୟ ବିଧାୟକ କୃଷି ବିଭାଗର ମନ୍ତ୍ରୀ ହେବା ପରେ ଜିଲ୍ଲାବାସୀ ଏହାର ସୁଫଳ ପାଇବେ ବୋଲି ଯେଉଁ ଆଶା ଥିଲା ତାହା ଧୂଳିସାତ ହୋଇଛି।"

ନୟାଗଡ଼: ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ଚାଣକ୍ୟ ଶାନ୍ତିରେ ନିଶ୍ବାସ ମାରିଲେ। ବର୍ଷେ ପରେ ଦେଶର ଅବସ୍ଥାରେ ଉନ୍ନତି ହୋଇଥିବ ଭାବି ସେ ପହଞ୍ଚିବାବେଳକୁ ଦେଖିଲେ ଚନ୍ଦ୍ରଗୁପ୍ତ ସହର ସାରା ପାର୍କ, ଉଜ୍ଜ୍ବଳ ଆଲୋକ, ପାଣିଫୁଆର, ଚକଚକ ରାସ୍ତା ଆଉ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ବେସ୍‌ ସୁନ୍ଦର ଭାବେ ସଜାଇଛନ୍ତି। ଚନ୍ଦ୍ରଗୁପ୍ତ ଉତ୍ସବ ପାଳନ କରି ନିଜ ସଫଳତାର ପ୍ରଚାରରେ ମାତିଛନ୍ତି। ଅଥଚ ଗ୍ରାମାଞ୍ଚଳରେ ଗରିବ, ଖଟିଖିଆ, ଚାଷୀ ଓ ସାଧାରଣ ଜନତାଙ୍କ ସ୍ଥିତି ଅଧିକ ସଙ୍କଟାପନ୍ନ ହୋଇଯାଇଛି। ନାଟ୍ୟକାର ସ୍ବର୍ଗତ ରତ୍ନାକର ଚଇନିଙ୍କ ନାଟକ “ଅଥଚ ଚାଣକ୍ୟ”ର ଏ କାହାଣୀ ଏବେ ନୟାଗଡ଼ରେ ପୁନରାବୃତ୍ତି ହୋଇଛି।

ପ୍ରମୋଦ ଉଦ୍ୟାନ ନିର୍ମାଣରେ ମତ୍ତ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଜିଲ୍ଲାର ଚାଷୀମାନଙ୍କ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ମାତ୍ର ଗୋଟିଏ ବର୍ଷ ଭିତରେ କେବଳ ନୟାଗଡ଼ ନିର୍ବାଚନ ମଣ୍ଡଳିରେ ୫ଟି ନୂତନ ପାର୍କ ଉଦ୍‌ଘାଟିତ ହୋଇଛି। ନୟାଗଡ଼ ସହର ଉପକଣ୍ଠରେ ବଲାଙ୍ଗୀ ବନ୍ଧରେ ଏବ ବିଶାଳ ପାର୍କ ମଧ୍ୟ ନିର୍ମାଣ ଚାଲିଛି। ଏଥିରେ ନଗର ଉନ୍ନୟନ, ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ଭଳି ୫ଟି ପାଣ୍ଠିର ଅର୍ଥ ଖର୍ଚ୍ଚ ହେଉଥିଲେ ବି ଫଳକଟିଏ ଲାଗିନାହିଁ ଅଥବା ଖର୍ଚ୍ଚ ବାବଦରେ କୌଣସି ସୂଚନା ଦିଆଯାଉନାହିଁ।

ନୟାଗଡ଼ରେ ଚିଟ୍‌ଫଣ୍ଡ କେଳେଙ୍କାରୀ, ପଞ୍ଚାୟତ ନିର୍ବାଚନରେ ଜବାବ୍‌ ଦେବେ ଜନତା

ନୟାଗଡ଼ ଜିଲ୍ଲାରେ ଦୀର୍ଘ ମହାନଦୀ ଅବବାହିକା ସାଙ୍ଗକୁ କୁଆଁରିଆ, କୁସୁମୀ ଆଦି ବିଭିନ୍ନ ନଦୀକୁଳିଆ ଅଞ୍ଚଳରେ ବ୍ୟାପକ ପରିବା ଚାଷ ହେଉଥିଲେ ବି ଏଥିପାଇଁ ଶୀତଳଭଣ୍ଡାର ନିର୍ମାଣ ନେଇ ଖୋଦ୍‌ କୃଷିମନ୍ତ୍ରୀଙ୍କର କାଣିଚାଏ ବି ଆଗ୍ରହ ନାହିଁ। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଯୋଜନା ଥିବା ବେଳେ ନୟାଗଡ଼ରେ ତାହାର ସଫଳ ରୂପାୟନ ହୋଇପାରିନାହିଁ। ପଡ଼ୋଶୀ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଅନୁଗୁଳରେ ଶୀତଳ ଭଣ୍ଡାର ରହିଥିବା ବେଳେ କୃଷିମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ନହୋଇପାରିବା ଲଜ୍ଜାଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏ ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି ଯେ ପାର୍କ ନିର୍ମାଣକୁ ସେମାନେ ବିରୋଧ କରୁନାହାନ୍ତି। କିନ୍ତୁ ଲୋକଙ୍କ ପାଇଁ ଯାହା ନିତାନ୍ତ ଆବଶ୍ୟକ ତାହା ନ କରି ପାର୍କ, କୋଠାବାଡ଼ି ଓ ରାସ୍ତା ଉପରେ ରାସ୍ତା ତୋଳି ଜିଲ୍ଲାରେ ପିସି କାରବାରକୁ କେବଳ ତ୍ବରାନ୍ବିତ କରାଯାଇଛି। ସ୍ଥାନୀୟ ବିଧାୟକ କୃଷି ବିଭାଗର ମନ୍ତ୍ରୀ ହେବା ପରେ ଜିଲ୍ଲାବାସୀ ଏହାର ସୁଫଳ ପାଇବେ ବୋଲି ଯେଉଁ ଆଶା ଥିଲା ତାହା ଧୂଳିସାତ ହୋଇଛି। ସବୁଠୁ ବଡ଼ କଥା ହେଲା ନୟାଗଡ଼ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକୁ ମଧ୍ୟ ମନ୍ତ୍ରୀ ଅବହେଳା କରୁଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ ବାଢ଼ିଛନ୍ତି।

ଅଥଚ ଚାଣକ୍ୟ ନାଟକ ଶେଷରେ ଚାଣକ୍ୟ ପୁଣି ଲଣ୍ଠନ ଧରି ନୂଆ ଚନ୍ଦ୍ରଗୁପ୍ତଙ୍କ ସନ୍ଧାନରେ ବାହାରିଯିବା ଭଳି ନୟାଗଡ଼ବାସୀ ମଧ୍ୟ ଆଗାମୀ ସମୟରେ ଏଇ ଆଧୁନିକ ଚନ୍ଦ୍ରଗୁପ୍ତଙ୍କୁ ବିଦାକରିବେ ବୋଲି ଶ୍ରୀ ଦାଶ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ ପାଇଁ ମଠ କାହିଁକି?

କୃଷି ଓ ଉଚ୍ଚଶିକ୍ଷାରେ ନୟାଗଡ଼ର ଦୁରବସ୍ଥା ବଖାଣିଲା କଂଗ୍ରେସ

 

Leave A Reply

Your email address will not be published.