Odisha Link
Bridging the Missing Links in Odisha

ପୁଅ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଲା ମା’

ପଟ୍ଟାମୁଣ୍ଡାଇ: ନିଜ ପୁଅ ନାଁରେ ହତ୍ୟା ଅଭିଯୋଗ ଆଣିଲା ମା’। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ବାଲିପାଟଣା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ବାଲିପାଟଣା ଗାଁରେ ଦୀପିକା ତରାଇ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଶାଶୁ ଶ୍ରୀମତୀ ବାଇ ପୁଅ ନାଁରେ ଅଭିଯୋଗ ଆଣିଛନ୍ତି। ପରକୀୟା ପ୍ରୀତି ପାଇଁ ତାଙ୍କ ପୁଅ ଦେବାଶିଷ ବାଇ ହିଁ ବୋହୂ ଦୀପିକାଙ୍କୁ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଛନ୍ତି।

ଶ୍ରୀମତୀ ବାଇ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଦୀପିକାଙ୍କୁ ତାଙ୍କ ପୁଅ ଦେବଶିଷ ଭଲ ପାଇ ବିବାହ କରିଥିଲା। ବିବାହ ପରେ ତା’ର ଅନ୍ୟ ମହିଳାଙ୍କ ସହିତ ଖରାପ ସଂପର୍କ ଥିଲା। ସେ ଓ ତାଙ୍କ ବୋହୂ ଏ ସଂପର୍କରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଏପରିକି ସେ ଏନେଇ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ।

ଶ୍ରୀମତୀ ଅଭିଯୋଗ କରିଛନ୍ତି ଯେ, ପ୍ରତିହିଂସା ପରାୟଣ ହୋଇ ଦେବାଶିଷ ତାଙ୍କୁ ଓ ତାଙ୍କ ବୋହୂ ଦୀପିକାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ତାଙ୍କୁ ଘରୁ ତଡ଼ି ଦେଇଥିଲା। ଫଳରେ ସେ ପାଖରେ ଅନ୍ୟ ଜଣଙ୍କ ଘରେ ରହି ଆସୁଛନ୍ତି। ତାଙ୍କ ପୁଅର ଘର ପାଖରେ ଜଣେ ମହିଳାଙ୍କ ସହିତ ସଂପର୍କ ଅଛି। ସେହି ମହିଳାଙ୍କ ପ୍ରରୋଚନାରେ ପୁଅ ତା’ସ୍ତ୍ରୀ ଦୀପିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲା। ଉକ୍ତ ମହିଳା ସହିତ ଦେବାଶିଷକୁ ଅସଂଯତ ଅବସ୍ଥାରେ ଦୀପିକା ଦେଖି ଦେବାରୁ ତାକୁ ହତ୍ୟା କରି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଉକ୍ତ ମହିଳାଙ୍କ ସହଯୋଗରେ ଦୀପିକାଙ୍କୁ ଦେବାଶିଷ ହତ୍ୟା କରିଥିବା ଶ୍ରୀମତୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏପରିକି ଉକ୍ତ ମହିଳାଙ୍କ ସ୍ୱାମୀ ବି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସେ ଦର୍ଶାଇଛନ୍ତି। ଦୀପିକାଙ୍କୁ ହତ୍ୟା କରାଯାଇ ପଙ୍ଖାରେ ଝୁଲାଇ ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.