ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳି

ଏଥର ନିର୍ବାଚନରେ ବିଜୟ ହାସଲ ଲକ୍ଷ୍ୟରେ ରାଜନେତା ଓ ରାଜନୈତିକ ଦଳମାନେ ପରସ୍ପର ପ୍ରତି ଯେଭଳି ବ୍ୟକ୍ତିଗତ ଆକ୍ରୋଶ, ମିଥ୍ୟା ପ୍ରଚାର ସାଙ୍ଗକୁ କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି, ବିଗତ ଦୁଇ ଦଶନ୍ଧି ମଧ୍ୟରେ(୨୦୦୦ ମସିହା ସାଧାରଣ ନିର୍ବାଚନ ଠାରୁ ଏଯାବତ୍) ମୁଁ ଏଭଳି ସ୍ଥିତି ଦେଖିନଥିଲି। ନିଜର ଭଲଗୁଣ ବାବଦରେ ବ୍ୟାଖ୍ୟା କରିବା ପରିବର୍ତ୍ତେ ବିପକ୍ଷ ଦଳ ବା ପ୍ରାର୍ଥୀଙ୍କ ନିନ୍ଦାଗାନ କରି ନିର୍ବାଚନ ନଈ ପାର ହେବାକୁ ସତେ ଯେମିତି ପ୍ରତିଯୋଗିତା ଲାଗିଛି।
ନିର୍ବାଚନୀ ସଭା, ନେତାଙ୍କ ଭାଷଣ, ଖବରକାଗଜ ଓ ଟିଭିରେ ବିଜ୍ଞାପନ ତଥା ସୋସିଆଲ ମିଡିଆରେ ଘୂରିବୁଲୁଥିବା ରାଜନୈତିକ ଟୀକାଟିପ୍ପଣି ଓ ମେମେ ସବୁକୁ ତର୍ଜମା କଲେ ଲାଗୁଛି, ସତେ ଯେମିତି ନିର୍ବାଚନରେ ଦଳେ ଅଭଦ୍ର, ଚୋର, ତସ୍କର, ଠକ ଓ ବଚସ୍କର ଅବତୀର୍ଣ୍ଣ ହୋଇଛନ୍ତି – ସେମାନଙ୍କ ଭିତରେ ଯିଏ ଅନ୍ୟର ଅବିଗୁଣ ସବୁ ଯେତେ ଅଧିକା ପଦାକୁ କାଢ଼ିପାରିବ ତାହାର ବିଜୟ ସମ୍ଭାବନା ସେତେ ଅଧିକା।
ସବୁଠୁ ରୋଚକ ଓ ଚିନ୍ତାଦ୍ୟୋତକ ବିଷୟ ହେଉଛି, କାଲି ଯିଏ ଜଣକ ତେପନ ପୁରୁଷ ଉଦ୍ଧାର କରି ଚରିତ୍ର ସଂହାର କରୁଥିଲା ହଠାତ ରାତାରାତି ତାହାର ସ୍ତାବକ ପାଲଟିଯାଇଛି ଏବଂ କାଲି ଯାହାକୁ ଈଶ୍ବର ତୂଲ୍ୟ ମଣି ନିଜର ସର୍ବମାନ୍ୟ ନେତା, ସହଯୋଗୀ ବା ସହୋଦର ବୋଲି ହାଉଳି ଛାଡ଼ୁଥିଲା ଆଜି ତାହାକୁ ଶତ୍ରୁ ବିଚାର କରୁଛି। ଏ ଧୋବଧାଉଳିଆ ନେତା ବା ଦଳଙ୍କର ନିଜର ନୀତିଆଦର୍ଶ ବୋଲି କିଛି ନାହିଁ। ତେଣୁ କୌଣସି ନୀତି ବା ନିର୍ଦ୍ଦିଷ୍ଟ ବିଚାର ପାଇଁ ଆପଣ ଯଦି ଜଣେ ନେତା ବା ଦଳ ସପକ୍ଷରେ ମତ ଦେଉଛନ୍ତି, ତେବେ ଆପଣଙ୍କ ଆକଳନ ଭୁଲ ପ୍ରମାଣିତ ହେବ। କିଏ ଜାଣେ, ସେହି ଦଳ ବା ନେତା କାଲି ସକାଳକୁ ରାତିର ଲୁଗା ପାଲଟିବା ପରି ଆପଣା ଖୋଳପା ଫିଙ୍ଗି ଆପଣ ବିରୋଧ କରୁଥିବା ନୀତି ଆଦର୍ଶକୁ ଆପଣେଇ ନେଇ ସାରିଥିବ।
ଲୋକଙ୍କ ପାଇଁ ବହୁତ କିଛି କରିଛୁ ବୋଲି ଲୋକେ କହିବା ବଦଳରେ, ଏବେ ଶାସକ ଦଳ ଓ ଏହାର ନେତା ଦିନରେ ଆଲୁଅ ଦେଖେଇ ଆମକୁ ବାରମ୍ବାର ଜଣେଇ ଦେଉଛନ୍ତି। ଅନୁରୂପ ଭାବେ ଶାସନକୁ ଆସିବାକୁ ହାଇଁପାଇଁ ବିରୋଧୀଦଳ ଓ ଏହାର ନେତାମାନେ ହାତୀ ଦେବୁ ଘୋଡ଼ା ଦେବୁ ବୋଲି ଡେଙ୍ଗୁରା ପିଟୁଥିବା ବେଳେ ସେମାନଙ୍କର ସରକାର ଥିବା ରାଜ୍ୟଗୁଡ଼ିକରେ ତାହା ଏଯାଏଁ ଫଳବତୀ ହୋଇ ପାରିନାହିଁ।
ଏଭଳି ସ୍ଥିତିରେ ଓଡ଼ିଶାରେ ଏଥର ଗୋଟିଏ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇଦିନ ତଳେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କ ଦଳ ଏବେ ଠୁ ବହୁମତ ପାଇସାରିଥିବା ନେଇ ବାହାସ୍ଫୋଟ ମାରିବା ସହ ନିର୍ବାଚନ ଫଳ ଘୋଷଣା ହେବା ପରେ ହେବାକୁ ଥିବା ତାଙ୍କ ସରକାରର ଶପଥଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ନିମନ୍ତ୍ରଣ ପଠାଇଛନ୍ତି।
ଏ ଖବର ପ୍ରସାରିତ ହୋଇଯିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ। ବିଜେପି ଜିତିବ ଓ ଓଡ଼ିଶାରେ ସରକାର ଗଠନ କରିବ ବୋଲି ଦୃଢ଼ତା ବାଢ଼ିବା ସାଙ୍ଗକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସେ ବି ନିମନ୍ତ୍ରଣ କରିଛନ୍ତି। ବିଜେଡି ଓ କଂଗ୍ରେସର ଏ ଆଗୁଆ ବିଜୟ ଉଲ୍ଲାସରେ ଉଲ୍ଲସିତ ହୋଇ କଂଗ୍ରେସ ବି ନିମନ୍ତ୍ରଣ ଦୌଡ଼ରେ ସାମିଲ ହୋଇଛି। ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ ଜଗତସିଂହପୁରରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି ଯେ ତାଙ୍କ ଦଳ ସରକାର ଗଠନ କରିବ। ସେ ମଧ୍ୟ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ସରକାରର ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ଜଣାଇଛନ୍ତି।
ତିନି ଦଳର ଏ ଭବିଷ୍ୟବାଣୀ ଶୁଣି ଓଡ଼ିଆରେ ଥିବା ଗୋଟେ ପୁରୁଣା ଢଗ ମନେପଡ଼ୁଛି – ମୂଳରୁ ମାଇପ ନାହିଁ ପାଖରେ, ପୁଅ ପାଇଁ ବାପା ଖଡ଼ୁ ଗଢ଼ଉଛି ବନମାଳିପୁର ହାଟରେ।
ଆଉ କିଛି ଦଳୀୟ ସ୍ତାବକ କେଇ ପାଦ ଆଗକୁ ଯାଇ ସୋସିଆଲ ମିଡିଆରେ ଶପଥ ଗ୍ରହଣ ତାରିଖ ଲେଖି ନିମନ୍ତ୍ରଣ ପତ୍ର ବାଣ୍ଟିବା ଆରମ୍ଭ କରିଦେଲେଣି। ଜନସାଧାରଣଙ୍କ ବିକାଶ କରିବା କ୍ଷେତ୍ରରେ ଯଦି ଏଭଳି ତତ୍ପରତା ପ୍ରକାଶ ପାଆନ୍ତା, ତେବେ ସିନା ଜଣାପଡ଼ନ୍ତା ଏମାନେ କେତେ ପାରିବାର। ଭାବନ୍ତୁ, ସୋସିଆଲ ମିଡିଆରେ ଏମିତି ତାରିଖ ଲେଖା ହୋଇ ନିମନ୍ତ୍ରଣ ଘୂରିବୁଲନ୍ତା- ଅମୁକ ତାରିଖରେ ରାଜ୍ୟ ଗରିବୀ ମୁକ୍ତ ହେବ, ଅମୁକ ତାରିଖ ସୁଦ୍ଧା ସବୁ ଗାଁକୁ ରାସ୍ତା ହେବ, ପାଣି ଯୋଗାଇ ଦିଆଯିବ, ବା ଅମୁକ ତାରିଖ ସୁଦ୍ଧା ଏତିକି ଯୁବକଙ୍କୁ ଚାକିରି ମିଳିବ, ବା ଅମୁକ ତାରିଖରେ ପ୍ରକାଶ ପାଇବାକୁ ଥିବା ସମୁକ ପରୀକ୍ଷାରେ ଏତିକି ପିଲା କୃତକାର୍ଯ୍ୟ ହେବେ – ତାହେଲେ ଯାଇ ଜଣାପଡ଼ନ୍ତା ଆମ ରାଜନେତାଙ୍କ କାଢ଼ୁଆପଣ।
ଏଠି ତ ଚାରିମାସ ହେଲା ହକି ଖେଳ ସରିଲାଣି, ହେଲେ ଏ ଯାଏଁ ବସ୍ ଷ୍ଟାଣ୍ଡ ନିର୍ମାଣ ଶେଷ ହେଉନି। କେନ୍ଦ୍ରରେ ସରକାର ପରେ ସରକାର ବଦଳୁଛନ୍ତି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି, ହେଲେ ଖୋର୍ଦ୍ଧାରୁ ବଲାଙ୍ଗୀର ରେଳ ଲାଇନ ନିର୍ମାଣ ସରୁନି। ଦମ୍ ଅଛି ତ ଆମର ଏ ସମ୍ଭାବ୍ୟ ସରକାର ବାହାଦୁରମାନେ ତାରିଖ ଲେଖି ନିମନ୍ତ୍ରଣ ଦିଅନ୍ତୁ, ଏଭଳି ଅଧାପନ୍ତରିଆ ଥିବା ଯୋଜନା ସବୁ କେବେ ସାରିବେ?