Odisha Link
Bridging the Missing Links in Odisha

ବଲାଙ୍ଗିର ସାଂସଦ କିଏ?

ଭୁବନେଶ୍ବର: ବଲାଙ୍ଗିର ସାଂସଦ କିଏ? ଆପଣ ଜାଣିଛନ୍ତି କି? ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତିକି। ତେବେ ଜାଣନ୍ତୁ। ସରିଛି ସାଧାରଣ ନିର୍ବାଚନ। ଆଉ ସମସ୍ତଙ୍କୁ ଅଳ୍ପେ ବହୁତେ ବଲାଙ୍ଗିର ସାଂସଦ କିଏ ତାହା ମଧ୍ୟ ଜଣାଥିବ। ବଲାଙ୍ଗିର ଲୋକସଭା ଆସନରୁ ଏବେ କିଏ ପ୍ରତିନିଧିତ୍ୱ କରୁଛନ୍ତି ଓ ସରକାରୀ ଭାବେ କିଏ ସାଂସଦ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଜଳସମ୍ପଦ ବିଭାଗ ପର୍ଯ୍ୟନ୍ତ ସରକାରୀସ୍ତରରେ ଆଦାନପ୍ରଦାନ ହେଉଥିବା ଚିଠି ହିଁ ବଲାଙ୍ଗିରର ସାଂସଦ କିଏ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

ସରିଛି ସାଧାରଣ ନିର୍ବାଚନ। ୨୦୧୯ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି ବିଜେପି ନେତ୍ରୀ ସଙ୍ଗୀତା ସିଂହଦେଓ। ୪ମାସ ଧରି ଶ୍ରୀମତୀ ସିଂହଦେଓ ବଲାଙ୍ଗିର ସାଂସଦ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏଥିସହିତ ସାଂସଦର ବିଭିନ୍ନ କମିଟିରେ ମଧ୍ୟ ଅଛନ୍ତି ଶ୍ରୀମତୀ ସିଂହଦେଓ। କିନ୍ତୁ ରାଜ୍ୟ ସରକାରଙ୍କ ପାଇଁ ସେ ସାଂସଦ ନୁହେଁ। ଏବେବି ବିଜେଡି ନେତା ତଥା ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ହିଁ ସରକାରୀ କାଗଜ ପତ୍ରରେ ବଲାଙ୍ଗିର ସାଂସଦ ଅଛନ୍ତି। ଏକଥା ଆମେ କହୁନୁ ବରଂ ଖୋଦ୍ କଳିକେଶ ୨୦୧୯ ଅଗଷ୍ଟ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦେଇଥିବା ଚିଠି ଏବଂ ୨୦୧୯ ସେପ୍ଟେମ୍ବର ୧୯ତାରିଖରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ସରକାରୀ ଚିଠିରେ ବଲାଙ୍ଗିର ସାଂସଦ ଭାବେ ସମ୍ବୋଧିତ କରାଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଅଗଷ୍ଟ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଶ୍ରୀ ସିଂହଦେଓ ଯେଉଁ ସମସ୍ୟାର ସମାଧାନ ପାଇଁ ଲିଖିତ ଦାବି ଜଣାଇଥିଲେ ସେହି ଚିଠିକୁ ଆଧାର କରି ହିଁ ଜଳସମ୍ପଦ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଜର ସବୋର୍ଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି।

ଅଗଷ୍ଟ ୩୦ତାରିଖରେ ନିଜକୁ ବଲାଙ୍ଗିର ସାଂସଦ ତଥା ସଂସଦର ବିଭିନ୍ନ କମିଟିର ସଦସ୍ୟ ଥିବାର ପରିଚୟ ଦେଇ ଏକ ଲେଟର ପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ କଳିକେଶ ଲକ୍ଷ୍ମୀଜୋର ନାଳରେ ବନ୍ଧ ଓ ଚେକଡ୍ୟାମ ନିର୍ମାଣରେ ତ୍ରୁଟି ଯୋଗୁ ବଲାଙ୍ଗିରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବାବେଳେ ତାଙ୍କ ଅଭିଯୋଗ ଆଧାରରେ ଗତକାଲି ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର ପଟ୍ଟନାୟକ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଶ୍ରୀ ସିଂହଦେଓଙ୍କୁ ମଧ୍ୟ ଏହି ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଛି।

Comments are closed.