ଶାହଙ୍କୁ ଭେଟିଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଅପରାହ୍ନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଶାହ ଏବଂ କେଜ୍ରିଓ୍ୱାଲଙ୍କ ଏହା ପ୍ରଥମ ବୈଠକ ଥିଲା। ଦିଲ୍ଲୀର ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ଏକାଠି ହୋଇ କାମ କରିବେ ବୋଲି ବୈଠକ ପରେ ଶାହ ଏବଂ କେଜ୍ରିଓ୍ୱାଲ କହିଛନ୍ତି। ଏହି ଭେଟଘାଟ ବେଳେ ଦିଲ୍ଲୀର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରି କହିଛନ୍ତି।
ରବିବାର କେଜ୍ରିଓ୍ୱାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବା ବେଳେ ଦିଲ୍ଲୀର ବିକାଶ ପାଇଁ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ କେନ୍ଦ୍ର ସରକାରର ସହଯୋଗ ମାଗିଥିଲେ। ନିର୍ବାଚନ ବେଳେ ରାଜନୀତିକ ଦଳ ମଧ୍ୟରେ ବାକଯୁଦ୍ଧ ହୋଇଥିଲା। ସେ ସମସ୍ତ କଥାକୁ ଭୁଲି କ୍ଷମା ଦେଇ ଦେଇଛନ୍ତି ବୋଲି କେଜ୍ରିଓ୍ୱାଲ କହିଥିଲେ। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ବିଜେପି ନେତା ଆତଙ୍କବାଦୀ ବୋଲି କହିଥିଲେ। ଯାହାକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ବାକଯୁଦ୍ଧ ତେଜିଥିଲା।