ତେଜେଶ୍ବର ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଜୁ ଜନତା ଦଳ ନେତା ତଥା ପୂର୍ବତନ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଭାରତୀୟ ଜନତା ପାର୍ଟିରେ ଯୋଗବା ନେଇ ଚର୍ଚ୍ଚା ହେଉଛି। ତେବେ ଏହାକୁ ଅପପ୍ରଚାର ଓ ଗୁଜବ ବୋଲି କହିଛନ୍ତି ଶ୍ରୀ ପରିଡ଼ା।
ନୂଆଦିଲ୍ଲୀରେ ଛାତ୍ର ସଂଗଠନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା କେନ୍ଦ୍ରାପଡ଼ାର ତେଜେଶ୍ବର ଦିଲ୍ଲୀରେ ବିଜେଡିର ଚାଷୀ ସମାବେଶ ସଫଳ କରିବାରେ ବେଶ୍ ସହଯୋଗ କରି ଚର୍ଚ୍ଚାକୁ ଆସିଥିଲେ। ପରେ ଦଳରେ ତାଙ୍କର ସ୍ଥିତି ଦୃଢ଼ ହେବାରେ ଲାଗିଥିଲା। ଏପରିକି ସେ ବିଧାୟକ ଟିକେଟ୍ ଦୌଡ଼ରେ ମଧ୍ୟ ଥିଲା। ତେବେ ଦଳ ତାଙ୍କୁ ଖଦୀ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା।
ଖଦୀ ବୋର୍ଡ ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଦଳ ଭିତରେ କ୍ରମେ ନିଷ୍ପ୍ରଭ ହୋଇ ଯାଇଛନ୍ତି ତେଜେଶ୍ବର। ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ କୌଣସି ଦଳୀୟ କାର୍ଯ୍ୟରେ ତାଙ୍କୁ ଦେଖିବବାକୁ ମିଳୁନାହିଁ। ଅନ୍ୟପଟେ ସେ ସେଣ୍ଟର ଫର୍ ପଲିସି, ଗଭର୍ନାନ୍ସ ଆଣ୍ଡ ଆଡଭୋକେସି ଦାମରେ ସଂସ୍ଥା ଗଢ଼ି ସ୍ବାଧୀନ ଭାବରେ ନିଜର ସାମାଜିକ କାର୍ଯ୍ୟ ଚଳାଇ ରଖିଛନ୍ତି। ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ବିଜେପି ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ଘଟଣାକୁ ନେଇ ତେଜେଶ୍ବର ଦଳ ବଦଳାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ତେଜେଶ୍ବର ଓଡ଼ିଶା ଲିଙ୍କ ସହ କଥାହୋଇ କହିଛନ୍ତି ଯେ ଏହା ତାଙ୍କ ବିରୋଧରେ ଅପପ୍ରଚାର। ସେ କେବେ ବି ଦଳର ନିଷ୍ପତ୍ତି ଠାରୁ ଉର୍ଦ୍ଧ୍ବକୁ ଯାଇନାହାନ୍ତି। ବିଜେଡି ସିଏଏ ଓ ଏନପିଆରକୁ ସମର୍ଥନ କରେ ଓ ସେହି ଆଧାରରେ ସେ ମଧ୍ୟ ସୋସିଆଲ ମିଡିଆରେ ମନ୍ତବ୍ୟ ସବୁ ରଖିଥିବା କହିଛନ୍ତି। ଏହା ଭିନ୍ନ ବ୍ୟକ୍ତିଗତ ଭାବରେ ସେ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରିବା ସହ କଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ଅବିଚାରର ବିରୋଧ କରନ୍ତି ବୋଲି ମତ ଦେଇଛନ୍ତି।
ତେଜେଶ୍ବର ପୁନଶ୍ଚ କହିଛନ୍ତି ଯେ ସେ ବିଜେଡିର ନେତା ନବୀନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି ଓ କୌଣସି ବି ପରିସ୍ଥିତିରେ ଦଳ ଛାଡ଼ିବା କଥା ଚିନ୍ତା କରିନାହାନ୍ତି।