ବନ୍ଦ ହୋଇପାରେ ଚିଟଫଣ୍ଡ କମିଶନ !

କଟକ: ଚିଟଫଣ୍ଡର ଶିକାର ହୋଇଥିବା ଲୋକମାନଙ୍କୁ ଆଉ ନ୍ୟାୟ ମିଳିବ କି ନାହିଁ ଏନେଇ ଲୋକମାନଙ୍କ ଭିତରେ ଆଶାଙ୍କା ଦେଖା ଦେଇଛି। କାରଣ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରୀ ୪ ତାରିଖରେ ଶେଷ ହୋଇଥିବା ବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ। ଏହାପରେ କମିଶନ ବସିବ ନାହିଁ ବୋଲି ନୋଟିସ୍ ଜାରି କରାଯାଇଛି। କଟକ ବକ୍ସିବଜାର ପୁଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚିଟଫଣ୍ଡ ଘଟଣା ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ ତାରିଖରେ କମିଶନ ଗଠନ କରାଯାଇଥିଲା। କମିଶନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ଏବଂ ପରେ ୬ ମାସକୁ ବୃଦ୍ଧି କରାଯାଇଥିଲା। ଶେଷଥର ଲାଗି ୨୦୧୯ ଅଗଷ୍ଟ ୪ ତାରିଖରେ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୂରିଥିବା ବେଳେ ଅଗଷ୍ଟ ୨ ତାରିଖରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କମିଶନଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଯାଇଛି। ସରକାର କାର୍ଯ୍ୟକାଳ ବୃଦ୍ଧି କରି ନଥିବାରୁ ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ ବୋଲି ନୋଟିସରେ ପ୍ରକାଶ କରାଯାଇଛି।
Comments are closed.