ଇତିହାସରେ ପ୍ରଥମଥର: ଶୂନ ତଳକୁ ଖସିଲା ଅବିଶୋଧିତ ତୈଳ ଦର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ବିଶ୍ବବାସୀ ଚିନ୍ତିତ। ଏଭଳିକି ଏହି ଭାଇରସର ମୁକାବିଲା କରିବା ପାଇଁ ଅନେକ ଦେଶ ଲକ୍ଡାଉନ୍ ପନ୍ଥା ଅବଲମ୍ବନ କରିଛନ୍ତି। ଯାହା ଫଳରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପରିଲିକ୍ଷିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ରେକର୍ଡ ମାତ୍ରାର ହ୍ରାସ ଘଟିଛି।
ଆମେରିକା ଅବିଶୋଧିତ ତୈଳ ଦରରେ ଅବିଶ୍ୱସନୀୟ ହ୍ରାସ ଘଟିଛି। ଏହା ବର୍ତ୍ତମାନ ବ୍ୟାରେଲ ପ୍ରତି -୩୭.୬୩ ଡଲାର ରହିଛି। ଆମେରିକୀୟ ଡଲାରରେ ଦର ଧାର୍ଯ୍ୟ ହେଉଥିବା ତୈଳ ଦର ବ୍ୟାରେଲ୍ ପ୍ରତି ବର୍ତ୍ତମାନ ଦର ଶୂନ ବା (୦) ତଳକୁ ଖସିଆସିଛି, ଯାହାକି ଇତିହାସରେ ପ୍ରଥମ ଦେଖାଦେଇଛି।
ଅପରପକ୍ଷେ ଜର୍ମାନୀ ଏବଂ ଜାପାନ ଆଦି ଦେଶରେ ଅର୍ଥନୀତିକ ସ୍ଥିତି ଏପରି ହୋଇଛି ଯେ, ତୈଳ ଚାହିଦା କେବେ ବଢ଼ିବ ତାହା ମଧ୍ୟ ସନ୍ଦେହ ଘେରରେ।
ନିକଟରେ ସାଉଦି ଆରବ ଓ ରୁଷ୍ ମଧ୍ୟରେ ତୈଳ ଉତ୍ପାଦନ ନେଇ ଯେଉଁ ପ୍ରତିଯୋଗିତା ଦେଖାଦେଇଥିଲା ତା’ର ପ୍ରଭାବ ଏବେ ପଡ଼ୁଛି। ସେହି ସମୟରେ ସାଉଦି ଆରବ, ରୁଷ ଅତିମାତ୍ରାରେ ତୈଳ ଉତ୍ପାଦନ କରିଥିଲେ। ଆମେରିକୀୟ କମ୍ପାନୀ ମଧ୍ୟ ତୈଳ ଉତ୍ପାଦନ ବଢ଼ାଇଥିଲା। ହେଲେ ଏବେ ତେଲ ପାଇଁ ଚାହିଦା ନାହିଁ, ଯାହାଫଳରେ ତୈଳ କମ୍ପାନୀ ଓ ତୈଳ ରପ୍ତାନୀକାରୀ ଦେଶ ଚିନ୍ତାରେ।