ଶେଷଇଚ୍ଛା ଅପୂରଣୀୟ: ପଞ୍ଚଭୂତରେ ଲୀନହେଲେ ଭବାନୀ ପଟ୍ଟନାୟକ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଶେଷଇଚ୍ଛା ପୂରଣ ହୋଇପାରିଲା ନାହିଁ। କଟକର ଏସ୍ସିବି ମେଡିକାଲକୁ ନିଜର ଶରୀର ଦାନ କରିବା ପାଇଁ ମୃତ୍ୟୁପୂର୍ବରୁ କହିଥିଲେ ହେଁ ଆଜି ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଗାଁ ନିମାପଡ଼ା ଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦାହ କରାଯାଇଛି। କରୋନା ମାହାମାରୀ ସମୟରେ ତାଙ୍କର ଶରୀର ନେବା ଲାଗି ଏସ୍ସିବି ମେଡିକାଲ କର୍ତୃପକ୍ଷ ମନାକଲେ ବୋଲି ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ଗତକାଲି (ଏପ୍ରିଲ ୧୪) ତାଙ୍କର କ୍ୟାପିଟାଲ ହସପିଟାଲରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର ୩ ଦିନ ପୂର୍ବରୁ ସେ ନିଜର ୯୯ତମ ଜନ୍ମଦିନ ପାଳନ କରିଥିଲେ। ଏ ଅବସରରେ ସେ ଅଙ୍ଗଦାନ କରିବେ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ ବୋଲି ସେ ଜଣାଇଥିଲେ।
ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କର ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ କରିଥିବା ଭବାନୀଚରଣ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।