Odisha Link
Bridging the Missing Links in Odisha

ରାଜ୍ୟରେ କାଲିଠୁ ମଦ ହୋମ ଡେଲିଭରୀ, ୫୦% ଦରବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ମିଳିବ ମଦ। ଆସନ୍ତାକାଲିଠୁ ରାଜ୍ୟରେ ଅନଲାଇନରେ ମଦ ମିଳିବ। ରାଜ୍ୟ ସରକାର ଏନେଇ ଅନୁମତି ପ୍ରଦାନ କରିଛନ୍ତି। ଏଥିସହିତ ୫୦% ଅଧିକ ଦରରେ ବିକ୍ରି ହେବ ମଦ। ସ୍ପେଶାଲ କୋଭିଡ ଫି ଲଗାଇ ସବୁ ପ୍ରକାର ମଦର ଦର ବଢାଇଲେ ସରକାର। ଅପରପକ୍ଷେ କାଉଣ୍ଟର ରେ ମଦ ବିକ୍ରିକୁ ସରକାର ଦେଲେ ନାହିଁ ଅନୁମତି। ଏଥିସହିତ ଓଡ଼ିଶା ଅବକାରୀ ନିୟମ -୨୦୧୭ ରେ ହେଲା ସଂଶୋଧନ।

କଣ୍ଟନେମଣ୍ଟ ଜୋନ ବ୍ୟତୀତ ସବୁ ଜୋନରେ ଅନଲାଇନରେ ମଦ ବିକ୍ରି ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ମଦ ଉପରେ କୋଭିଡ଼ ଫି’ ଲଗାଯାଇଛି। କୋଭିଡ଼ ଫି ୫୦% ଲଗାଯାଇଥିବାରୁ ମଦ ଦାମ ଦେଢ଼ଗୁଣା ହୋଇଯିବ। ଏମଆରପି ଉପରେ ହିଁ ଏହି ଫି’ ଲାଗୁ ହେବ। କୋଭିଡ଼ ଫି’ ବାବଦକୁ ମିଳିବାକୁ ଥିବା ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ। ଅନ ଓ ଅଫ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ ଡେଲିଭରୀ କରିପାରିବେ। ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି’ ଲାଗୁ କରାଯାଇଛି।

ହୋମ୍‌ ଡେଲିଭରୀ ପାଇଁ କିଛି ନିର୍ଦ୍ଦିଷ୍ଟ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକନାକୁ ଅନୁମତି ଦିଆଯାଇଛି। ତେବେ କେଉଁ ଦୋକାନକୁ ଅନୁମତି ଦିଆଯାଇଛି ତାହା OSBC ଓ୍ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି। ଓଏସ୍‌ବିସି ଓ୍ୱେବ୍ ସାଇଟ୍‌ OSBC.Co.in ରେ ଜିଲ୍ଲା ଓ୍ୱାରୀ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନଙ୍କ ତଥ୍ୟ ରହିଛି । ଏହା ସହ ଓ୍ୱେବ୍‌ସାଇଟ୍‌ରେ ବିଭିନ୍ନ ବ୍ରାଣ୍ଡର ମଦର ଏମ୍‌ଆର୍‌ପି ମଧ୍ୟ ଉଲ୍ଲେଖ ରହିଛି।

ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ସେମାନଙ୍କ ମୋବାଇଲ ନମ୍ବର, ହ୍ୱାଟ୍ସଆପ୍‌ ନମ୍ବର, ଇମେଲ୍‌, ୟୁପିଆଇ ସମ୍ବନ୍ଧରେ ନିଜ ଦୋକାନ ସାମ୍ନାରେ ବିସ୍ତୃତ ଓ ପ୍ରାଞ୍ଜଳ ଭାବେ ତଥ୍ୟ ଦେବେ। ଯାହାଦ୍ୱାରା ସେମାନେ ଅନ୍ ଲାଇନ୍‌ରେ ଅର୍ଡର ଗ୍ରହଣ କରିପାରିବେ । ତେବେ ଦୋକାନୀଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ଦୋକାନ ଆଗରେ ଯେଭଳି ଲୋକଙ୍କ ଭିଡ଼ ନହୁଏ। ଖାଲି ସେତିକି ନୁହେଁ ରିଟେଲର ମାନେ ନିଜେ ହୋମ୍‌ ଡେଲିଭରୀ କରିପାରିବେ ନଚେତ୍‌ ହୋମ୍‌ ଡେଲିଭରୀ କରୁଥିବା ସଂସ୍ଥା ଯୋଗାଯୋଗ କରିପାରିବେ।