ଆଉ ଏକ ଲଘୁଚାପ; ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ କାରଣରୁ ଏବେ ବର୍ଷା ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ୧୯ ଅଗଷ୍ଟରେ ଉତ୍ତର ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଳ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁୁ ସୂଚନା ଦିଆଯାଇଛି।
ରାଜ୍ୟର ସମ୍ବଲପୁର, ଦେବଗଡ, ବରଗଡ, ଝାରସୁଗୁଡା, ଅନୁଗୁଳ, ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କେନ୍ଦୁଝର, ଢ଼େଙ୍କାନାଳ, ଯାଜପୁର ଏବଂ ମାଲକାନଗିରିର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଦେବଗଡ, ବରଗଡ, ଝାରସୁଗୁଡା ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କଟକ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।