ଆଖି ବୁଜିଲା ନନ୍ଦନକାନନର ‘ଆନିନୀ’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀ ମଧ୍ୟରେ ରହିଥିବା ସାଧାରଣ ନାଲି ରଙ୍ଗ ବାଘୁଣୀ ’ଆନିନୀ’ର ଆଜି ମୃତ୍ୟୁ ହୋଇଛି।ଗତ ଏକ ମାସ ହେଲା ରକ୍ତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତି ହେଉଥିଲା । ତାକୁ ବଞ୍ଚାଇବାକୁ ତାର ଭାଇ କ୍ରିଷ୍ଣା ଦୁଇ ୟୁନିଟ୍ ରକ୍ତ ପ୍ରଦାନ କରିଥିଲା। ଯାହା ଓଡିଶାରେ ଏକ ବିରଳ ପଦକ୍ଷେପ ଥିଲା। କିନ୍ତୁ ଅନେକ ଚେଷ୍ଟା ପରେ ବି ବାଘୁଣୀ ଆନିକୁ ବଞ୍ଚାଇବା ସମ୍ଭବ ହୋଇ ପାରିଲା ନାହିଁ । ଶେଷରେ ୧୧ଦିନ ପରେ ଭଉଣୀ ଆନି ପ୍ରାଣ ହରାଇଛି। ନନ୍ଦନକାନନରେ ବାଘ ସଂଖ୍ୟା ୨୪କୁ ଖସି ଆସିଛି। ଓୟୁଏଟିର ଶବ ବ୍ୟବଚ୍ଛେଦ ଟିମ୍ ଆସି ଶବ ବ୍ୟବଚ୍ଛେଦ କରିବା ପରେ ଆନି ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ।କେ
ପ୍ରକାଶ ଯେ, ୨୦୧୪ ମସିହାରେ ମନୀଷ ଓ ସ୍ନେହାର ମିଳନରୁ ଏକା ସଂଗରେ ଜନ୍ମ ହୋଇଥିଲେ ୪ଟି ବାଘଛୁଆ। ସେମାନେ ଥିଲେ ତିନି ଭାଇ ଓ ଗୋଟିଏ ଭଉଣୀ। ଦୁଇ ବର୍ଷ ପରେ ଏମାନଙ୍କ ମଧ୍ୟରୁ ୨୦୧୬ରେ ଭାଇ ସ୍ନେହାଶିଷକୁ କଲିକାତା ପଠାଇ ଦିଆଗଲା। ବାକି ତିନି ଜଣ ରହିଥିଲେ। ଏମାନଙ୍କ ମଧ୍ୟରୁ ଗତ ୨୦୧୯ ମସିହା ଅକ୍ଟୋବର ୧୫ ତାରିଖରେ ରକ୍ତ ସଂକ୍ରମଣ ରୋଗରେ ପଡି ଶୁଭ୍ରାଂଶୁର ମୃତ୍ୟୁ ହୋଇଥିଲା । ଫଳରେ ଆନି ଆଉ କ୍ରିଷ୍ଣା ନନ୍ଦନକାନନରେ ରହୁଥିଲେ।
ଗତ ଏକ ମାସ ତଳେ ଆନି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା। ଆନିକୁ ରକ୍ତ ସଂକ୍ରମଣ ରୋଗ ହୋଇଥିବାରୁ ତାର ରକ୍ତ ନମୁନା ସଂଗ୍ରହ କରାଯାଇ ଉତ୍ତରପ୍ରଦେଶ ବରେଲୀ ପଠାଯାଇ ଥିଲା। ଏତିକି ବେଳେ ଆନି ଅଧିକ ଗୁରୁତତ ହୋଇପଡିଥିଲା। ଉଠିବାକୁ ବଳ ପାଉନଥିଲା। ପଶୁ ଚିକିତ୍ସକମାନେ ସବୁପ୍ରକାର ଚେଷ୍ଟା କରିବା ପରେ ତାର ରକ୍ତ ବଢିପାରୁନଥିଲା। ତେଣୁ ରକ୍ତର ନିହାତି ଆବଶ୍ୟକ ହେଉଥିଲା। ଫଳରେ ଭାଇ କ୍ରିଷ୍ଣା ଦୁଇ ୟୁନିଟ୍ ରକ୍ତ ଦେଇଥିଲା। ହେଲେ ରକ୍ତ ଦେବାର ୧୧ ଦିନ ପରେ ପ୍ରାଣ ହରାଇଛି ଆନିନୀ।