କର୍ମଚାରୀଙ୍କ ମୃତ୍ୟୁ ହେଲେ ଚାକିରି, ବୀମା ଓ ଆର୍ଥିକ ସହାୟତା
ନିଜ କର୍ମଚାରୀଙ୍କୁ ଆଶ୍ବାସନା ଦେଇଛନ୍ତି ଓଟିଭିର ମୁଖ୍ୟ ଜଗୀମଙ୍ଗତ ପଣ୍ଡା ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

ଭୁବନେଶ୍ବର: କୋଭିଡ୍ କାରଣରୁ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ତା ସାଙ୍ଗକୁ ଯୋଗ୍ୟତା ଭିତ୍ତିରେ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ମଧ୍ୟ ମିଳିବ। ଆଜି ରାଜ୍ୟର ଦୁଇ ପ୍ରମୁଖ ଟେଲିଭିଜନ୍ ଚ୍ୟାନେଲ ଓଟିଭି ଓ କଳିଙ୍ଗ ଟିଭି ଏପରି ଘୋଷଣା କରିଛନ୍ତି।
କୋଭିଡ୍ ସମୟରେ ରାଜ୍ୟରେ ଗଣମାଧ୍ୟମ କର୍ମଚାରୀଙ୍କର ମୃତ୍ୟୁ ଚିନ୍ତାଜନକ ହୋଇଛି। ପ୍ରଥମ ଲହରରେ ଗତବର୍ଷ ପ୍ରାୟ ୪୦ ଜଣ ସାମ୍ବାଦିକଙ୍କ ଜୀବନ ଯାଇଥିବା ବେଳେ ଦ୍ବିତୀୟ ଲହରରେ ଏ ବର୍ଷ ୨୦ରୁ ଅଧିକ ଗଣମାଧ୍ୟମ କର୍ମଚାରୀଙ୍କର ମୃତ୍ୟୁ ହେଲାଣି। ରାଜ୍ୟ ସରକାର ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ବି ସମସ୍ତ ସାମ୍ବାଦିକ ଏହାର ସୁଫଳ ପାଇପାରୁନାହାନ୍ତ। ଏପରିକି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ମଧ୍ୟ ସରକାରୀ ବୀମା ଆଦିର ସୁବିଧା ପାଉନାହାନ୍ତି। ଏଭଳି ସମୟରେ ନିଜ କର୍ମଚାରୀଙ୍କୁ ଆଶ୍ବାସନା ଦେଇଛନ୍ତି ଓଟିଭିର ମୁଖ୍ୟ ଜଗୀମଙ୍ଗତ ପଣ୍ଡା ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।
ନିଜର ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଯୋଗେ ଜଗୀ ଜଣାଇଛନ୍ତି ଯେ ଯଦିଓ ଜଣେ କର୍ମଚାରୀଙ୍କର ମୃତ୍ୟୁକୁ କୌଣସି ବି ସହୟତା ମାଧ୍ୟମରେ ଭରଣା କରାଯାଇ ପାରିବନାହିଁ ତଥାପି ତାଙ୍କର ପରିବାରବର୍ଗଙ୍କ ସହ ଠିଆହେବ ଓଟିଭି। କୋଭିଡ୍ ଳଢ଼େିରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାର ଲୋକଙ୍କୁ ସଂସ୍ଥା ତରଫରୁ ଏକକାଳୀନ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ତାଙ୍କର ସ୍ବାମୀ/ସ୍ତ୍ରୀ ଓ ସନ୍ତାନଙ୍କ ପାଇଁ ୫ ବର୍ଷ ଲାଗି ସ୍ବାସ୍ଥ୍ୟ ବୀମା କରାଯିବ। ମୃତକଙ୍କ ପତ୍ନୀ, ପତି ଅଥବା ସନ୍ତାନ ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ଓଟିଭିରେ ଚାକିରି ମିଳିବ ବୋଲି ଜଗୀ ଘୋଷଣା କରିଛନ୍ତି।
ଅନୁରୂପ ଭାବେ ଅଚ୍ୟୁତ ସାମନ୍ତ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ସେ ଓ କଳିଙ୍ଗ ଟିଭି ପରିବାର କର୍ମଚାରୀଙ୍କ ଭଲମନ୍ଦରେ ସର୍ବଦା ସାଙ୍ଗରେ ରହିଛନ୍ତି। କୋଭିଡ୍ ସମୟରେ ଯଦି କୌଣସି ଅଘଟଣ ଘଟେ ତେବେ କଳିଙ୍ଗ ଟିଭି ଓ ଏହାର ପ୍ରତିଷ୍ଠାତା କର୍ମଚାରୀଙ୍କ ପାଇଁ ଅଛନ୍ତି। କିସ୍ ଫାଉଣ୍ଡେସନ୍ ପକ୍ଷରୁ ଏକ ଗୁରୁତ୍ବପୂଣ୍ଣ’ ନିଷ୍ପତ୍ତି ନିଆଯାଇଥିବା ଘୋଷଣା କରିଛନ୍ତି ଅଚ୍ୟୁତ। କୋଭିଡ୍ ଯୁଦ୍ଧରେ ଜୀବନ ହାରିଥିବା କଳିଙ୍ଗ ଟିଭି କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ସହ ମୃତକଙ୍କ ପରିବାରର ଯେ କୌଣସି ବ୍ୟକ୍ତି ଯୋଗ୍ୟତା ଭିତ୍ତିରେ କିସ୍ ବା କିଟ୍ରେ ନିଯୁକ୍ତି ପାଇବେ ବୋଲି ଅଚ୍ୟୁତ ଘୋଷଣା କରିଛନ୍ତି।
ରାଜ୍ୟର ଦୁଇ ପ୍ରମୁଖ ଗଣମାଧ୍ୟମ ପକ୍ଷରୁ ଏପରି କର୍ମଚାରୀ ହିତୈଷୀ ଘୋଷଣାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ସରକାର ସାମ୍ବାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିଥିବା ବେଳେ ସରକାରୀ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କ ପାଇଁ କେବଳ କରୋନାକାଳୀନ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।