ରାଜ୍ୟରେ ଆଉ ୪୩ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫ ଜଣ ରହିଥିବା ବେଳେ ଅନୁଗୁଳ, କଟକ, ଝାରସୁଗୁଡା, ସୁନ୍ଦରଗଡରୁ ୪ ଜଣ ଲେଖାଏଁ ରହିଛନ୍ତି ।ବରଗଡ, ବଲାଙ୍ଗୀର, ବୌଦ୍ଧରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ସମ୍ବଲପୁର, ରାୟଗଡା, ନୂଆପଡା, କୋରାପୁଟ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ଵରରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୧୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୧୩୧୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୨୩ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ୫୩ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୧୨୮୭୯୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି।