‘କରୋନା ଶେଷ ନହେବା ଯାଏଁ ଅନ୍ନ ଗ୍ରହଣ କରିବିନି’

ଲକ୍ଷ୍ନୌ: ମନ୍ତ୍ରୀଙ୍କ ଭୀଷ୍ମ ପ୍ରତିଜ୍ଞା। ଦେଶରେ କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ଅନ୍ନ ଛୁଇଁବେ ନାହିଁ। ଏଥିସହିତ ବିଗତ ୫ ବର୍ଷ ଧରି ଅନ୍ନ ଗ୍ରହଣ କରି ନାହାନ୍ତି ବୋଲି ଦାବି ରଖିଛନ୍ତି ଉତ୍ତର ପ୍ରଦେଶର ବିକାଶ ରାଜ୍ୟମନ୍ତ୍ରୀ ମହେଶ ଗୁପ୍ତା। ଯାହାକୁ ନେଇ ସବୁଠି ଲାଗି ରହିଛି ଚର୍ଚ୍ଚା।
ମନ୍ତ୍ରୀ ଶ୍ରୀ ଗୁପ୍ତା ଆହୁରି କହିଛନ୍ତି ଯେ, ଦେଶରେ ଆତଙ୍କବାଦର ବିନାଶ ପାଇଁ ଅନ୍ନ ଗ୍ରହଣ ନକରିବା ପାଇଁ ଶପଥ ନେଇଥିଲି। ଆଉ ଆଜି ଦେଶରେ ଆତଙ୍କବାଦୀ ମାନେ ତାଙ୍କର ଅନ୍ତିମ ଦିନ ଗଣୁଛନ୍ତି।
କେବଳ ସେତିକି ନୁହେଁ ପିଏମ୍ ମୋଦୀଙ୍କୁ ଭୂରି ପ୍ରଶଂସା କରିଛନ୍ତି ଶ୍ରୀ ଗୁପ୍ତା। ସେ କହିଛନ୍ତି ଯେ, ମୋଦୀ କେବଳ ରାଷ୍ଟ୍ର ନାୟକ ନୁହେଁ ସାରା ବିଶ୍ବର ନାୟକ। ମୋଦୀ ବ୍ରାଜିଲକୁ ସଞ୍ଜିବନୀ ଦେଇଛନ୍ତି। ଆମେରିକା ଭଳି ଦେଶ ମୋଦୀଙ୍କ ନୀତିରେ ପାଗଳ ବୋଲି ସେ କହିଛନ୍ତି।
ରାଜ୍ୟମନ୍ତ୍ରୀ ଗୁପ୍ତା ଆହୁରି କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ମୋଦୀ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ସେହିପରି ଉତ୍ତର ପ୍ରଦେଶରେ ଯୋଗୀଙ୍କ ନୀତି ଯୋଗୁଁ କରୋନାର ଦ୍ବିତୀୟ ଲହରୀକୁ ପ୍ରଥମେ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ବିଶେଷଜ୍ଞ କମିଟି ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରିଛନ୍ତି। କିନ୍ତୁ ମୁଁ ପ୍ରାର୍ଥନା କରୁଛି କରୋନାର ତୃତୀୟ ଲହର ଆମ ଦେଶ ଓ ଉତ୍ତର ପ୍ରଦେଶକୁ ନଆସୁ। ଏଥିପାଇଁ ମୁଁ ଭୀଷ୍ମ ପ୍ରତିଜ୍ଞା ନେଇ କହୁଛି ଯେ, ଭାରତ ଓ ସାରା ବିଶ୍ବରୁ ଯେ ପର୍ଯ୍ୟନ୍ତ କରୋନା ନାମକ ଶତ୍ରୁ ନଯାଇଛି ସେ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବି ନାହିଁ।