ପଦ୍ମପୁର ଉପନିର୍ବାଚନ: ମନ୍ତ୍ରୀ କହିଲେ-ଏବେ ନୂଆ ଜିଲ୍ଲା ଗଠନ ପ୍ରସ୍ତାବ ନାହିଁ

ଓଏଲ୍ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ଡିସେମ୍ବର ସୁଦ୍ଧା ‘ପଦ୍ମପୁର’ ଉପଖଣ୍ଡକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ମିଳିବ ବୋଲି ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗୁରୁବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ନୂଆ ଜିଲ୍ଲା ଗଠନ ପାଇଁ କିଛି ପ୍ରସ୍ତାବ ନାହିଁ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
ଗୁରୁବାର ଦିନ ପ୍ରମିଳା ମଲ୍ଲିକ କହିଥିଲେ, ବର୍ତ୍ତମାନ ରାଜ୍ୟରେ ନୂତନ ଜିଲ୍ଲା ଘୋଷଣା ପାଇଁ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରଧୀନ ନାହିଁ। ବିଧାନସଭାରେ ବିଧାୟକ ରାଜକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ଦେଇଛନ୍ତି ମନ୍ତ୍ରୀ।
ଶ୍ରୀ ଦାସଙ୍କ ପ୍ରଶ୍ନ ଥିଲା ରାଜ୍ୟରେ ୧୩ରୁ ୩୦ ଜିଲ୍ଲା ହେବା ବେଳେ ରାଇରଙ୍ଗପୁରକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ପ୍ରସ୍ତାବ ଥିଲା। ମୟୂରଭଞ୍ଜ ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା। ତେଣୁ ରାଇରଙ୍ଗପୁର ଓ କରଞ୍ଜିଆକୁ ନେଇ ଜିଲ୍ଲାର ଆବଶ୍ୟକତା ରହିଛି। ଏନେଇ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ଅଛି କି ?
ବିଧାୟକଙ୍କ ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି, ୧୯୯୨ ଓ ୧୯୯୩ ମସିହାରେ ଓଡ଼ିଶାରେ ୧୩ ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ହେବା ବେଳେ ବିଧିବଦ୍ଧ ଭାବେ ଆସିଥିବା ପ୍ରସ୍ତାବଗୁଡ଼ଇକୁ ବିଚାରକୁ ନେଇ ୧୭ଟି ନୂତନ ଜିଲ୍ଲା ଗଠନ ହୋଇଥିଲା। ସେହି ସମୟରେ ରାଇରଙ୍ଗପୁରକୁ ଏକ ଜିଲ୍ଲା ଭାବେ ଘୋଷଣା ପାଇଁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନଥିଲେ।
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ଓ କରଞ୍ଜିଆକୁ ନେଇ ନୂତନ ଜିଲ୍ଲା ଗଠନ ନିମନ୍ତେ ଦାବିପତ୍ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ହସ୍ତଗତ ହୋଇଛି । ବର୍ତ୍ତମାନ କିନ୍ତୁ ନୂତନ ଜିଲ୍ଲା ଗଠନ ପାଇଁ କୌଣସି ପ୍ରସ୍ତାବ ନାହିଁ।
ସୂଚନାଥାଉକି, ୨୦୨୩ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଜିଲ୍ଲା ଦାବିରେ ଗଠିତ କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ବେଳେ ସୂଚନା ଦେଇଥିଲେ। ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ଦାବି ତୀବ୍ର ହୋଇଛି ।