Odisha Link
Bridging the Missing Links in Odisha

ଓଡ଼ିଶା: ହିନ୍ଦୁ ଧର୍ମକୁ ଫେରିଲେ ମୁସଲମାନ ପରିବାର

ଓଏଲ୍‌ ବ୍ୟୁରୋ: ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଲୋକଙ୍କ ମନ କଥା ପଢି ତାଙ୍କର ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଏବଂ ବିବାଦ ସାମ୍ନାକୁ ଆସିଛି। ଏସବୁ ମଧ୍ୟରେ ବାଗେଶ୍ବର ଧାମର ଦିବ୍ୟ ଦରବାରରେ ଧର୍ମ ପରିବର୍ତ୍ତନ ହେଉଥିବା ଖବର ସାମ୍ନାକୁ ଆସିଛି। ଓଡ଼ିଶାରୁ ଆସିଥିବା ଏକ ମୁସଲିମ ପରିବାର ଓ ଛତିଶଗଡ଼ ବିଳାସପୁରର ସୁଲତାନ ବେଗମ ମଞ୍ଚରେ ହିଁ ହିନ୍ଦୁ ଧର୍ମକୁ ଫେରିବା ନେଇ ଘୋଷଣା କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନିକଟରେ ନିଜର ପୁଅର ଚିକିତ୍ସା ପାଇଁ ଓଡ଼ିଶାର ଜଣେ ମୁସଲମାନ ମହିଳା ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଶରଣାପନ୍ନ ହୋଇଥିଲ। ଶ୍ରୀ ଶାସ୍ତ୍ରୀ ଦରବାରରେ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ତାଙ୍କୁ କହିଥିଲେ। ଏହାପରେ ସୋମବାର ଦିନ ଛତିଶଗଡ଼ରେ ବାବାଙ୍କର ଦରବାର ସମୟରେ ଉକ୍ତ ମହିଳା ଓ ତାଙ୍କ ପରିବାର ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟ ଧର୍ମର ଲୋକଙ୍କୁ ହିନ୍ଦୁ ଧର୍ମରେ ଦୀକ୍ଷିତ କରୁଥିବା ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, ଆମେ ପ୍ରଥମେ ମାନବତା ପସନ୍ଦ କରୁ। ଯଦି କେହି ଅସୁବିଧାରେ ପଡ଼ି ଆମର ସାହାଯ୍ୟ ମାଗୁଛି ତେବେ ଆମର କର୍ତ୍ତବ୍ୟ ତାଙ୍କର ସାହାଯ୍ୟ କରିବା। ଧର୍ମଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମାନବତା । ଯିଏ ବି ଆମ ଧର୍ମକୁ ଆସିବାକୁ ଚାହୁଁଛନ୍ତି ଆମେ ତାଙ୍କୁ ସ୍ବାଗତ କରୁଛୁ ବୋଲି ଶ୍ରୀ ଶାସ୍ତ୍ରୀ କହିଛନ୍ତି।