Odisha Link
Bridging the Missing Links in Odisha

ଘର ଛାଡ଼ିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅର୍ଥାତ୍‌ ୨୨ ଏପ୍ରିଲରେ ୧୨, ତୁଗଲକରେ ଥିବା ସରକାରୀ ଘର ଛାଡ଼ି ଦେଇଛନ୍ତି। ଏହାପୂର୍ବରୁ ରାହୁଲ ଏପ୍ରିଲ ୧୪ ତାରିଖରେ ତାଙ୍କ କାର୍ଯ୍ୟାଳୟ ଓ କିଛି ଜିନିଷ ମା’ ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇ ଯାଇଥିଲେ। ଆଜି ଘର ଖାଲି କରିବା ସମୟରେ ରାହୁଲ କହିଛନ୍ତି, ସତ କହିବାରୁ ଏଭଳି ମୂଲ୍ୟ ଦେବାକୁ ପଡ଼ିଲ।।

ମୋଦି ସରନେମ ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ସହିତ ୨ ବର୍ଷ ଦଣ୍ଡ ମିଲିଥିଲା। ଯାହାପରେ ନିୟମ ଅନୁଯାୟୀ ସଂସଦ ପକ୍ଷରୁ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏପରିକି ତାଙ୍କୁ ସରକାରୀ ଘର ଛାଡ଼ିବାକୁ କୁହାଯାଇଥିଲା।

ସାଂସଦ ପଦ ରଦ୍ଦ ହେବାପରେ ଲୋସଭା ହାଉସିଂ କମିଟି ପକ୍ଷରୁ ରାହୁଲଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା। ଏପ୍ରିଲ ୨୨ ସୁଦ୍ଧା ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ତାରିଖ ପୁରୁଥିବାରୁ ରାହୁଲ ଘର ଖାଲି କରି ମା’ ସୋନିଆଙ୍କ ପାଖକୁ ଚାଲି ଯାଇଛନ୍ତି। ଏଥିସହିତ ସରକାରୀ ଘରର ଚାବି କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି।

ଆଜି ଘର ଖାଲି କରିବା ପରେ ରାହୁଲ କହିଛନ୍ତି, ସତ କହିବାରୁ ଏହାର ମୂଲ୍ୟ ଦେବାକୁ ପଡ଼ିଛି। ଏହି ସରକାରୀ ଘରେ ରହିବାକୁ ଇଚ୍ଛା ନାହିଁ ବୋଲି ମଧ୍ୟ କହିଥିଲେ ରାହୁଲ। ସୂଚନାଥାଉକି, ଏପ୍ରିଲ ୧୧ରେ ରାହୁଲ କହିଥିଲେ ଯେ, ସାଂସଦ ଗୋଟେ ମାନ୍ୟତା, ଗୋଟେ ପଦବୀ ବା ଗୋଟେ ପଦ। ଏହି ପଦ ଓ ସରକାରୀ ଘର ଭାଜପା ନେଇ ଯାଇପାରେ କିନ୍ତୁ ଓ୍ବାୟନଡ଼ ଲୋକଙ୍କର ପ୍ରତିନିଧିତ୍ବ କରିବାକୁ କେବେ ବି ରୋକି ପାରିବ ନାହିଁ।