Odisha Link
Bridging the Missing Links in Odisha

ବାଲେଶ୍ବର ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପିଏମ୍‌ ମୋଦି, ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଭୟଙ୍କର ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୨୦୦ରୁ ଅଧିକ ମୃତାହତ ହୋଇଥିବା ସୂଚନା ରହିଛି। କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ପିଏମ୍‌ ମୋଦି ଟ୍ବିଟ କରି କହିଛନ୍ତି, ଓଡ଼ିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣା ପାଇଁ ଦୁଃଖିତ। ମୃତାହତ ବ୍ୟକ୍ତିଙ୍କ ପରିବାର ପ୍ରତି ମୋର ସମବେଦନା। ଆହତ ହୋଇଥିବା ବ୍ୟକ୍ତି ଶ୍ରୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏଥିସହିତ ସେ ରେଲୱେ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି। ଆଉ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପିଏମ୍‌ ମୋଦି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ରହିଛି।

ଖଡ଼ଗପୁର ଡିଆର୍‌ଏମ୍‌ ସୂଚନା ଦେଇ କହିଛନ୍ତି, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।

ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୫୦ଟି ଆମ୍ବୁଲାନ୍ସ ଥିଲେ ମଧ୍ୟ ଆହତଙ୍କ ସଂଖ୍ୟା ବେଶ୍ ଅଧିକ ଥିବାରୁ ବସ୍ ଯୋଗେ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏସଆରସି ସତ୍ୟବ୍ରତ ସାହୁ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଏଏସ୍ ବଳବନ୍ତ ସିଂ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଘଟଣାସ୍ଥଳ ଅଭିମୁଖେ ଗସ୍ତ କରିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଯାହା ସମ୍ଭବ ତାହା କରାଯିବ ବୋଲି ଶ୍ରୀ ଜେନା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । କଟକସ୍ଥିତ ଏସସିବି ମେଡିକାଲ କଲେଜ, ବାଲେଶ୍ୱରସ୍ଥିତ ମେଡ଼ିକାଲ କଲେଜ ଓ ବାରିପଦାସ୍ଥିତ ମେଡିକାଲ କଲେଜକୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.