Odisha Link
Bridging the Missing Links in Odisha

୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷାର ଲୁଚକାଳି ଖେଳ। ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବଭାବିକ ବର୍ଷା ହୋଇ ପାରିନାହିଁ। ଏସବୁ ମଧ୍ୟରେ ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁସାରେ, ୧୦ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କହୁଛି, ୧୦ ତାରିଖରେ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ।

ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୧୧ ତାରିଖ ପରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ। ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ପୁଣି ତଳକୁ ଆସିବ। ଏହା ପ୍ରଭାବରେ ଏକ ଘୂର୍ଣ୍ଣିବଳୟ ବି ସୃଷ୍ଟି ହୋଇପାରେ। ୧୨ ଓ ୧୩ରେ ଫେୟାରଲି ୱାଇଡ୍‌ ସ୍ପ୍ରେଡ୍‌ ବା ଅଧିକ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଆଇଏମ୍‌ଡି ମଧ୍ୟ ପୂର୍ବାନୁମାନ କରିଛି।