Odisha Link
Bridging the Missing Links in Odisha

ଦକ୍ଷତା ବିକାଶ ମାମଲା: ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଓଏଲ୍‌ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦକ୍ଷତା ବିକାଶ ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ମିଳିଛି। ଆନ୍ଧ୍ର ହାଇକୋର୍ଟ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ହାଇକୋର୍ଟ ଆଦେଶ ବିରୋଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିଏସ୍) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଓ ରିମାଣ୍ଡ ଅର୍ଡର ରଦ୍ଦ ନେଇ ତାଙ୍କ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଥିଲେ।

ସୂଚନା ଅନୁସାରେ, ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ରେ ନାଇଡୁଙ୍କୁ ଗିରଫ କରାଯାଇଥିଲା। ଏହା ପରେ ବିଜୟୱାଡା କୋର୍ଟ ତାଙ୍କୁ ୧୪ ଦିନ ଜେଲ ପଠାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ) କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ଆନ୍ଧ୍ର ପ୍ରଦେଶ ପୁଲିସ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ମୁଖ୍ୟ ଷଡଯନ୍ତ୍ରକାରୀ’ ବୋଲି ବର୍ଣ୍ଣନା କରିଛି। ଏହି କେଳେଙ୍କେରୀ ଯୋଗୁଁ ରାଜ୍ୟ ସରକାରଙ୍କ ୩୦୦ କୋଟି କ୍ଷତି ହୋଇଥିବା ଅଭିଯୋଗ ହୋଇଛି।