Odisha Link
Bridging the Missing Links in Odisha

ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ; ସର୍ଚ୍ଚ ଅପରେସନ ଜାରି

ଓଏଲ୍‌ ବ୍ୟୁରୋ: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଚିଲମାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ। ନିକଟରେ ବିମାନ ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟ ପରେ ଏବେ ପୁଣି ମାଲାଓ୍ବି ଦେଶର ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ ହୋଇଛି। ଯାହା ସାରା ବିଶ୍ବର ଚିନ୍ତା ବଢ଼ାଇଛି।

ଚିଲିମା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଗତକାଲି ପୂର୍ବାହ୍ନ ୯ଟା୧୭ରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ। ତାଙ୍କ ସହ ଉକ୍ତ ବିମାନରେ ଆଉ ୯ ଜଣ ବି ଥିଲେ। ମାତ୍ର ଖରାପ ପାଗ ଯୋଗୁ ବିମାନଟି ଲ୍ୟାଣ୍ଡ କରି ପାରି ନ ଥିବା ବେଳେ ତାହାକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର କିଛି ସମୟ ପରେ ବିମାନଟି ରାଡାରରୁ ଗାଏବ ହୋଇ ଯାଇଥିଲା। ବିମାନ ଅଧିକାରୀଙ୍କ ଦ୍ୱାରା ଏଥିନିମନ୍ତେ ବହୁ ପ୍ରଚେଷ୍ଟା କରାଯିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା।

ମାଲାଓ୍ବି ପ୍ରତିରକ୍ଷା ବାହିନୀର କମାଣ୍ଡର ଜେନେରାଲ ଭାଲେଣ୍ଟିନୋ ଫିରି ରାଷ୍ଟ୍ରପତି ଡକ୍ଟର ଲାଜରସ୍ ମ୍ୟାକାର୍ଥି ଚେକ୍ୱେରାଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ରାଷ୍ଟ୍ରପତି ତାଙ୍କ ବାହାମାସ ଗସ୍ତକୁ ସ୍ଥଗିତ ରଖିଛନ୍ତି। ନିଖୋଜ ବିମାନକୁ ଖୋଜିବା ପାଇଁ ତୁରନ୍ତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଆରମ୍ଭ କରିବାକୁ ରାଷ୍ଟ୍ରପତି କହିଛନ୍ତି।

୨୦୨୨ ମସିହାରେ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚିଲିମା ଗତ ମାସ ଜେଲ୍‌ରୁ ବାହାରିଥିଲେ। ତାଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ହଟାଇବାକୁ କୋର୍ଟ ଅର୍ଡର ଦେବା ପରେ ସେ କୋର୍ଟରୁ ମୁକୁଳିଥିଲେ। ଏଥିସହ ଆସନ୍ତା ନିର୍ବାଚନରେ ସେ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରମୁଖ ଦାବିଦାର ବୋଲି ବି ଚର୍ଚ୍ଚା ହେଉଥିଲା।

Leave A Reply

Your email address will not be published.