Odisha Link
Bridging the Missing Links in Odisha

୫ମ ଥର ପାଇଁ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି ହାତେଇଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ହରମନପ୍ରୀତ ସିଂହଙ୍କ ନେୃତ୍ବରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି ହାତେଇଛି। ୫ମ ଥର ପାଇଁ ଟ୍ରଫି ଜିତିଛି ଭାରତ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତୀୟ ଦଳ ଫାଇନାଲ ମୁକାବିଲାରେ ଚୀନକୁ ୧-୦ରେ ପରାସ୍ତ କରି ଟାଇଟଲ ହାତେଇଛି। ଫାଇନାଲ ମୁକାବିଲାରେ କଡ଼ା ସଂଘର୍ଷ କରିଥିଲେ ଉଭୟ ଦଳର ଖେଳାଳି। ଶେଷରେ ଭାରତୀୟ ଦଳ ୧-୦ରେ ବିଜୟୀ ହୋଇଛି।

ପ୍ରଥମ ୩ଟି କ୍ବାର୍ଟରରେ ଉଭୟ ଦଳ ଗୋଲ କରିବାରେ ବିଫଳ ହେବା ପରେ ୪ର୍ଥ କ୍ବାର୍ଟରର ୧୦ ମିନିଟରେ ଡିଫେଣ୍ଡର ଜୁଗରାଜ ସିଂହ ଏକମାତ୍ର ଗୋଲ ସ୍କୋର କରିଥିଲେ। ଯାହାଫଳରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଥିଲା। ପ୍ରଥମ ୩ଟି କ୍ବାର୍ଟରରେ ଭାରତୀୟ ଦଳ ଓ ଚୀନ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ଭାରତୀୟ ହକି ଦଳ ସେଫି ଫାଇନାଲ ମୁକାବିଲାରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ଦ୍ବିତୀୟ ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଚୀନ ପ୍ରଥମ ଥର ପାଇଁ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି। ତୃତୀୟ ସ୍ଥାନ ମୁକାବିଲାରେ ଦକ୍ଷିଣ କୋରିଆକୁ ୫-୨ରେ ପାକିସ୍ତାନ ପରାସ୍ତ କରିଛି।