Odisha Link
Bridging the Missing Links in Odisha

ସେପ୍ଟେମ୍ବର ୨ରେ ମୁଖ୍ୟମନ୍ତ୍ରୀ କହିଥିଲେ ସମସ୍ତ ଥାନାରେ ଲାଗିଛି ସିସିଟିଭି, ଭରତପୁର ଥାନା ସିସିଟିଭି ଗଲା କୁଆଡ଼େ ?

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଭୁବନେଶ୍ବରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି ଜୋରଦାର ଚର୍ଚ୍ଚା। ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପ୍ରଥମେ ପୁଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗ ଉପରେ ଡିଜିପି ନେଲେ କାର୍ଯ୍ୟାନୁଷ୍ଠାନ। ଏପିରିକି ତଦନ୍ତ ସ୍ୱରୂପ ପାଞ୍ଚ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବିତ ବି କରାଗଲା। ତେବେ ସେ ଦିନ ରାତିରେ ଭରତପୁର ଥାନାରେ କ’ଣ ହୋଇଥିଲା। କାହା ପାଖରେ ବି ନାହିଁ ସଠିକ୍‌ ପ୍ରମାଣ। ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଦ କହିଥିଲେ ଯେ ରାଜ୍ୟର ଥାନାରେ ସିସିଟିଭି ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ବିଜେଡି ବିଧାୟକ ସାୈଭିକ୍‌ ବିଶ୍ବାଳ ଇନ୍‌ଭେଷ୍ଟିଗେସନ୍‌ ସମୟରେ ସିସି ଟିଭ ରେକର୍ଡ ପ୍ରସଙ୍ଗ ଉଠାଇଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଥାନାରେ ଅଭିଯୁକ୍ତ ମାନଙ୍କର ଇନ୍‌ଭେଷ୍ଟିଗେସନ୍‌ ସମୟରେ ସିସି ଟିଭି ରେକର୍ଡ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି, ଉତ୍ତର ହଁ ହେଲେ ସେ ଦିଗରେ କି ପଦକ୍ଷେପ ନିଆଯାଉଅଛି ବୋଲି ପ୍ରଶ୍ନ କରିଥିଲେ। ତାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଭାବେ କହିଥିଲେ ଯେ ରାଜ୍ୟର ସମସ୍ତ ଥାନା ଗୁଡ଼ିକର ତଦନ୍ତରେ ସ୍ବଚ୍ଛତା ନିମନ୍ତେ ସି.ସି.ଟି.ଭି ସଂଯୋଗୀକରଣ କରାଯାଇଛି।

ହେଲେ ବାସ୍ତବରେ ଆଦର୍ଶ ଥାନାର ମାନ୍ୟତା ପାଇଥିବା ଭରଥପୁର ଥାନାରେ ସିସିଟିଭି ଲାଗି ନଥିବା ଜଣାପଡ଼ିଛି। ଯଦି ସିସିଟିଭି ଥାଆନ୍ତା ତେବେ ସେଦିନ ରାତିରେ କ’ଣ ଘଟିଥିଲା ତାହା ସମସ୍ତଙ୍କୁ ଜଣାଥାନ୍ତା। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଖୋଦି ସିସିଟିଭି ସମସ୍ତ ଥାନାରେ ଲାଗିଥିବା କହିଥିବା ବେଳେ ଭରତପୁର ଥାନାରେ କାହିଁକି ଲାଗିନି ତାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପଟେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ରବିବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେଡି ମଧ୍ୟ ଆସନ୍ତାକାଲି ପାଇଁ ଦେଇଥିବା ହରତାଳ ଡାକରାକୁ ପ୍ରତ୍ୟାହାର କରିଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତା, ତାଙ୍କ ବାପା ଓ ମେଜର।

Leave A Reply

Your email address will not be published.