ଆନ୍ଦୋଳନରେ ପଞ୍ଜିକୃତ କରିନଥିବା ହବିଷ୍ୟାଳି, ରହିବାକୁ ମିଳୁନି ଜାଗା

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି।
ଚଳିତବର୍ଷ ପୁରୀରେ ହବିଷ୍ୟାଳିଙ୍କ ରହଣି ପାଇଁ ସରକାରଙ୍କ ତରଫରୁ ଅନଲାଇନ ଆବେଦନ ପାଇଁ କୁହାଯାଇଥିଲା। କିଛି ହବିଷ୍ୟାଳି ଅନଲାଇନରେ ଆବେଦନ କରିଛନ୍ତି ମାତ୍ର ସେମାନଙ୍କ ନାଁ ପଞ୍ଜିକରଣ ହୋଇ ନାହିଁ। ଫଳରେ ସେମାନଙ୍କୁ ରହିବାକୁ ଅନୁମତି ମିଳି ନାହିଁ। ତେଣୁ ସେମାନେ ବୃନ୍ଦାବତୀ ନିବାସ ଆଗରେ ବସି ରହିଛନ୍ତି। ପୁରୀ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ସେଠାରେ ପହଁଚି ବୁଝାସୁଝା କରୁଛନ୍ତି । ଅନଲାଇନରେ ପଞ୍ଜିକରଣ କରିଥିବା ବ୍ରତଧାରୀଙ୍କୁ ପ୍ରଥମେ ରହିବାକୁ ଅନୁମତି ପ୍ରଦାନ କରାଯିବ। ବଳକା ରହିଲେ ଅଣ ପଞ୍ଜିକୃତଙ୍କୁ ରହିବାକୁ ଅନୁମତି ମିଳିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।
ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଛି। ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।
ସୂଚନାଥାଉକି, ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯାଇଛି। ପୂର୍ବ ବର୍ଷ ଭଳି ଏଥିର ବି ହବିଷ୍ୟାଳିଙ୍କୁ ସବୁ ସୁବିଧା ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରିବ ପ୍ରଶାସନ।ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି।