ପଶ୍ଚିମବଙ୍ଗ ହିଂସା: ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି, ଶତାଧିକ ଆହାତ

କୋଲକାତା: ଦିନକୁ ଦିନ ବଡ଼ ଧରଣର ରୂପ ନେଉଛି ପଶ୍ଚିମବଙ୍ଗ ରାଜନୀତି। କେତେବେଳେ ସ୍ଲୋଗାନ ରାଜନୀତି ହେଉଛି ତ ଆଉ କେତେବେଳେ ପୋଷ୍ଟକାର୍ଡ ରାଜନୀତି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। କିନ୍ତୁ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ। ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ଆଜି ବିଜେପି ପକ୍ଷରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ଟାର୍ଗେଟ କରି ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ବିଜେପିର ଏହି ପ୍ରତିବାଦ ରାଲି ବେଳେ ପୁଲିସ ସହ ଦଳୀୟ କର୍ମୀଙ୍କ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ବିଜେପି କର୍ମୀଙ୍କ ଶୋଭାଯାତ୍ରା ବେଳେ ପୁଲିସ୍ ପକ୍ଷରୁ ପ୍ରଥମେ ପାଣି ମାଡ଼ କରାଯାଇଥିଲା। ଏହାପରେ ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ଆନ୍ଦୋଳନକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏଥରେ ବିଜେପିର ବରିଷ୍ଠ ନେତା ମୁକୁଲ ରୟ ଓ ଏସ୍ଏସ୍ ଆଲୁୱାଲିଆ ଆହତ ହୋଇଥିବା ଜଣାପଡିଛି।
ଆଜି(ବୁଧବାର) ବିଜେପି ପକ୍ଷରୁ ନୂଆ କରି ନିର୍ବାଚିତ ହୋଇଥିବା ୧୮ ଜଣ ସାଂସଦଙ୍କ ସହ ବିଜେପି ରାଜ୍ୟ ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ନେତୃତ୍ୱରେ ଶହଶହ କର୍ମୀ ୱେଲିଙ୍ଗଟନ୍ରୁ ଲାଲବଜାରରେ ଥିବା ପୁଲିସ୍ ମୁଖ୍ୟାଳୟ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିଲେ। ବିଜେପି କର୍ମୀମାନେ ବୋୱବଜାର କ୍ରସିଂ ନିକଟରେ ପହଞ୍ଚିବା ମାତ୍ରେ ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ବିଜେପି କର୍ମୀମାନେ ଆଗକୁ ମାଡ଼ି ଯିବାରୁ ପୁଲିସ୍ ସେମାନଙ୍କ ଉପରକୁ ପାଣି ଓ ଟିୟର ଗ୍ୟାସ ମାଡ଼ କରିଥିଲା। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ମଧ୍ୟ ପୁଲିସ୍ ଉପରକୁ ଟେକା ପଥର ସହ ବୋତଲ ମାଡ଼ କରିଥିଲେ। ଫଳରେ ସେଠାରେ ଦୀର୍ଘ ସମୟ ପାଇଁ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ପୁଲିସ୍ ଟିଏମସି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଦମନ ଅଭିଯାନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଏଥିସହ ପୁଲିସ୍ର ଏପରି ବର୍ବରତା ବିରୋଧରେ ବିଜେପି କର୍ମୀମାନେ ଉକ୍ତ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ।