ଆସନ୍ତା ୩୦ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଓଡ଼ିଶାକୁ ଛୁଇଁ ସାରିଥିବାବେଳେ ଜୁନ୍ ମାସ ବି ସରିବାକୁ ବସିଲାଣି। ହେଲେ ଓଡ଼ିଶାରେ ବର୍ଷାର ଦେଖାନାହିଁ। ରାଜ୍ୟରେ ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଝୁଛନ୍ତି। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ୩୦ ତାରିଖ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ। ଉପକୂଳବର୍ତ୍ତୀ ଓଡ଼ିଶାର ତାପମାତ୍ରା ୩୬ ଡିଗ୍ରୀରୁ ୩୮ ଡିଗ୍ରୀ ଭିତରେ ରହିବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ଅପରାହ୍ନରେ ରାଜ୍ୟର କିଛି ଜିଲ୍ଲାରେ ହାଲ୍କା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ଓ କନ୍ଧମାଳ। ଆସନ୍ତାକାଲିଠୁ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ।