ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଅଣସର ଘରୁ ବାହାରି ଶ୍ରଦ୍ଧାଳୁଙ୍କୁ ମଙ୍ଗଳବାର ଦର୍ଶନ ଦେବେ ମହାପ୍ରଭୁ। ଦୀର୍ଘ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁମାନେ ଆଜି ନବଯୌବନ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ। ଆଜି ଅପରାହ୍ନ ୨ଟା ୩୦ ରୁ ୩ଟା ୩୦ ଯାଏଁ ଭିତରକାଠ ପାଖରୁ ପରମାଣିକ ଦର୍ଶନ ଓ ୩ଟା ୩୦ ରୁ ୪ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ମାତ୍ର ସକାଳ ସମୟରୁ ୨ଟା୩୦ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ନବଯୌବନ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।