Odisha Link
Bridging the Missing Links in Odisha

ବିଜେପିର ଦବଙ୍ଗ ବିଧାୟକ ଆକାଶଙ୍କ ଆଚରଣକୁ ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟଭର୍ଗିଆ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମତ ରଖିଛନ୍ତି। ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିଆ ନିକଟରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ବାଡ଼େଇବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଦଳୀୟ ବିଧାୟକଙ୍କ ଏପରି କାର୍ଯ୍ୟକୁ କଡ଼଼ା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁମାନେ ଆକାଶଙ୍କୁ ଦବଙ୍ଗଗିରିଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଜେଲରୁ ବାହାରିବା ପରେ ତାଙ୍କୁ ଶୋଭାଯାତ୍ରାରେ ନେଇଥିଲେ ସେମାନଙ୍କୁ ଦଳରୁ ନିଲମ୍ୱିତ କରାଯିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି ମୋଦି। ଦିଲ୍ଲୀରେ ଚାଲିଥିବା ବିଜେପି ସଂସଦୀୟ ବୈଠକରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦଳୀୟ ଅନୁଶାସନଠୁ ଉର୍ଦ୍ଧରେ କେହି ନୁହଁନ୍ତି। ଦଳର ସେ ଯେଉଁ ପଦବୀରେ ରହିଥାନ୍ତୁ ନା କାହିଁକି ଏଭଳି ବିଶୃଙ୍ଖଳ ଆଚରଣକୁ ବିଜେପି ଆଦୌ ଗ୍ରହଣ କରିବ ନାହିଁ ବୋଲି ସେ ଆଜି ବୈଠକରେ ରୋକଠୋକ୍ ଶୁଣାଇଛନ୍ତି।

ବିଧାୟକ ଆକାଶ ବିଜୟଭର୍ଗିଆ ହେଉଛନ୍ତି ବିଜେପିର ପ୍ରମୁଖ ନେତା ତଥା ମଧ୍ୟପ୍ରଦେଶର ପ୍ରମୁଖ ବିଜେପି ବିଧାୟକ କୈଳାଶ ବିଜୟଭର୍ଗିଆଙ୍କ ପୁଅ। ଆକାଶ ଜେଲରୁ ବାହାରିବା ପରେ ନିଜ ପ୍ରତିକ୍ରିୟାରେ କହିଥିଲେ ସରକାରୀ ଅଧିକାରୀଙ୍କୁ ବାଡ଼େଇଥିବାରୁ ସେ ଗର୍ବିତ। ସେପଟେ ଆକାଶଙ୍କ ବାପା କୈଳାଶ କହିଥିଲେ ତାଙ୍କ ପୁଅ ଏପରି ମାଡ଼ପିଟ ଘଟଣାରେ ପୁରୁଣା ଖେଳାଳି।ତେବେ ପ୍ରଧାନମନ୍ତ୍ରୀ ଆଜି ଆକାଶ ଓ ତାଙ୍କ ବାପାଙ୍କ ଏପରି ମନ୍ତବ୍ୟକୁ ନେଇ କଡ଼ାଭାଷାରେ ନିନ୍ଦା କରିବା ପରେ ଦଳର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ବିଜେପି ଆକାଶଙ୍କୁ ଦଳରୁ ନିଲମ୍ୱିତ କରିପାରେ ବୋଲି ସୂଚନା ମିଳିଛି।

Comments are closed.