ବିଶ୍ବକପରେ ଭାରତର ପରାଜୟକୁ ନେଇ ବିଷ ପିଇଲେ ଯୁବକ

କଳାହାଣ୍ଡି : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ହୋଇଥିବା ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହେବା କାରଣରୁ କଳାହାଣ୍ଡି ଜିଲାର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ଗୋଲମୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ସିଙ୍ଗଭାଡ଼ି ଗାଁର ସମ୍ବାରୁ ଭୋଇ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ଭାରତ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ପରେ ବିଶ୍ବକପରୁ ବାଦ୍ ପଡ଼ିଥିଲା, ଯାହାକୁ ସମ୍ବାରୁ ସହ୍ୟ କରିପାରି ନ ଥିଲେ। ସେ ଅତ୍ୟଧିକ ଭାବ ପ୍ରବଣ ହୋଇ ବିଷ ପିଇ ଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଧର୍ମଗଡ଼ ଡାକ୍ତରଖାନାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।