ସ୍ବାମୀ ସ୍ତ୍ରୀଙ୍କ କଳିରେ ଅନାଥ ହେଲେ ୩ ଶିଶୁ

କାମାକ୍ଷାନଗର : ସାମାନ୍ୟ ଝଗଡାକୁ ନେଇ ସ୍ବାମୀକୁ କିରାସିନ ଢାଳି ପୋଡି ମାରିଦେବା ଭଳି ସଂଘାତିକ ଅଭିଯୋଗ ଆସିଛି ଜଣେ ମହିଳାଙ୍କ ବିରୋଧରେ। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ହୋଇଛି। ଏବେ ପରିବାର ଓ ଗ୍ରାମବାସି ମୃତକଙ୍କ ସ୍ତ୍ରୀକୁ କଠୋରରୁ କଠୋର ଦଣ୍ଡ ଦାବିରେ ୧୮ ଘଣ୍ଟା ଧରି ଶବକୁ ପକାଇ ରଖିଲେ ଘରେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ। ଏମିତି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖରଖରି ଗ୍ରାମ ମାହାଲି ସାହିରେ। ଦିର୍ଘ ୮ ବର୍ଷ ପୁର୍ବେ ଯାଜପୁର ଜିଲ୍ଲା ଚିଙ୍ଗୁଡିପାଳ ପଞ୍ଚାୟତ ଖୁଣ୍ଟାପସି ଗ୍ରାମର ପାରାଉ ମାରାଣ୍ଡିଙ୍କ ଝିଅ ସଲମା ମିରାଣ୍ଡି ସହିତ ଖରଖରି ଗ୍ରାମର ରଘୁ ଟଡୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ସଲମାଙ୍କୁ ବିବାହ କରି ଘରକୁ ନେଇ ଆସିଥିଲେ ରଘୁ। ଏବେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ବିଭିନ୍ନ ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ। କିନ୍ତୁ ଗତ ୧୨ ତାରିଖ ସଂଧ୍ୟାରେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଉଗ୍ରରୁପ ନେଇଥିଲା ।ଯାହା ଫଳରେ ସ୍ତ୍ରୀ ସଲମା ରାଗିଯାଇ ସ୍ବାମୀଙ୍କ ଉପରେ କିରୋସିନ ଢାଳିଦେଇଥିଲା ।ଏକଥା ନିଜେ ସଲମା ମଧ୍ୟ ସ୍ବିକାର କରିଛି । ତେବେ ଦିଆସିଲି ମୁଁ ମାରିନି ସେ ନିଜେ ମାରିଛନ୍ତି ବୋଲି କହିଛି ସଲମା।
ଗତ ୧୨ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ରଘୁ ଦେହରେ ନିଆଁ ଲାଗିଯିବା ପରେ ପଡୋଶୀ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଦେହର ୯୦ ଭାଗ ପୋଡି ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ତାରେ ୧୩ ତାରିଖ ସଂଧ୍ୟା ୮ ଟା ବେଳକୁ ମୃତ୍ୟୁ ହୋଇଥିଲା।ଶବ ବ୍ୟବଛେଦ ପରେ ମୃତଦେହ ଘରକୁ ଆଣି ଶବକୁ ଘରେ ରଖି ପ୍ରାୟ ୧୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପକାଇ ରଖିଥିଲେ ପରିବାର ଲୋକେ। ସ୍ତ୍ରୀ ସାଲମାକୁ ଗିରଫ ଦାବିରେ ପରିବାର ଲୋକେ ଅଡି ବସିଥିଲେ। ଏନେଇ କଙ୍କଡାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଗାଁରେ ପୋଲିସ ପହଞ୍ଚି ତଦନ୍ତ ଚଳାଇ ଅଭିଯୁକ୍ତ ସ୍ତ୍ରୀ ସାଲମାକୁ ଅଟକ ରଖି ପଚରା ଉଚରା କରିବା ସହ ଗିରପ କରି କୋର୍ଟଚାଲାଣ କରିଛି ।
ଦିନେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସାଲମା ଆଜି ସେଇ ନିଆଁରେ ସ୍ବାମୀକୁ ପୋଡି ମାରିବା ସମଗ୍ର ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ସାମାନ୍ୟ ବଚଷାକୁ ନେଇ ଏତେ ବଡ କାଣ୍ଡ ଘଟିଯିବ କେହି ବିଶ୍ବାସ କରିପାରୁ ନାହାହନ୍ତି। ବାପାର ମୃତ୍ୟୁ ଆଉ ଏପଟେ ମା ଜେଲ ଯିବାପରେ ସେମାନଙ୍କ ୩ ସନ୍ତାନ ଙ୍କ ଭବିଷ୍ୟତ କଣ ହେବ ଓ ସରକାର ତିନି ଶିଶୁଙ୍କ ପାଇଁ କି ବ୍ୟବସ୍ଥା କରିବେ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।