Odisha Link
Bridging the Missing Links in Odisha

ସିରିଏଲ କିଲରର କାହାଣୀ, କାଚରାରୁ ବାୟା ହେଲା କେମିତି ଜାଣନ୍ତୁ

ଭୁବନେଶ୍ବର: କଟକରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସିରିଏଲ କିଲର ନାରାୟଣ ସାହୁକୁ ଗତକାଲି ପୁଲିସ ଗିରଫ କରିଥିବା ବେଳେ ଆଜି ତାର ଫଟୋ ସାମନାକୁ ଆସିଛି। ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଗିରଫ କରିଥିବା ସୂଚନା ରହିଛି। ତେବେ ଆସନ୍ତୁ ଜାଣିବା ହତ୍ୟାକାରୀ ପାଲଟିଥିବା ନାରାୟଣ ସାହୁ ବିଷୟରେ କିଛି କଥା।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ସୁନାମୁହିଁର ବାସିନ୍ଦା ନାରାୟଣ ଜଗନ୍ନାଥପ୍ରସାଦ ବ୍ଲକ କୁମ୍ପାପଡ଼ା ଗ୍ରାମରେ ୨୦ରୁ ୨୫ ବର୍ଷ ହେଲା ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ରହି ଗାଁକୁ ଗାଁ ବୁଲି ଚୁଡ଼ି ବିକୁଥିଲା ନାରାୟଣ। ସ୍ଥାନୀୟ ଅଞ୍ଚଳରେ ପିଲାଠୁ ବୁଢା ଯାଏଁ ନାରାୟଣ କାଚରା ଭାବେ ପରିଚିତ ଥିଲା ନାରାୟଣ। ସେ ମହିପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ତା ଗୋଟିଏ ପୁଅ ଓ ଗୋଟିଏ ଝିଅ ବି ଥିଲେ। ନାରାୟଣର ଚୁଡ଼ି ସହ ଜୋତା ବେପାର ବି ଚାଲିଥିଲା। ଭଲ ରୋଜଗାର ହେବା ପରେ ସେ କୁମ୍ପାପଡ଼ା ଗ୍ରାମରେ ନିଜେ ଜମି କିଣି ଘର ତିଆରି କରିଥିଲା।

ସମୟ ସହ ତାଳ ଦେଇ ଅଧିକ ରୋଜଗାର ଆଶାରେ ରୂପା ବ୍ୟବସାୟ ଆରମ୍ଭ କରିଥିଲା ନାରାୟଣ। ଏହା ପୂର୍ବରୁ ପୂର୍ବ ବେପାର ବନ୍ଦ କରିଦେଇଥିଲା ସେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କଠୁ ଧାରକରଜ କରିଥିଳା। ପ୍ରଥମେ କୁମ୍ପାପଡ଼ା ଗ୍ରାମର ରାମଚନ୍ଦ୍ର ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନିକଟରେ ଘର ବନ୍ଧକ ରଖି ୧ଲକ୍ଷ ୬୨ହଜାର ଟଙ୍କା କରଜ ନେଇଥିଲା। ଏହା ପରେ ନାରାୟଣ ଅନ୍ୟ ଜଣଙ୍କୁ ଘର ବିକ୍ରି ପାଇଁ ମଧ୍ୟ ଟଙ୍କା ଆଣିଥିଲା। କରଜର ଭାର ବଢିବାରୁ ପାଖାପାଖି ୭ ଲକ୍ଷ ଟଙ୍କାରେ ତିଆରି କରିଥିବା ଘରକୁ ସେ ରାମଚନ୍ଦ୍ରଙ୍କୁ ବିକ୍ରି କରିଦେଇଥିଲା। ପୁଣି ଭଡ଼ା ଘରେ ରହି ବ୍ୟବସାୟ ବି ଜାରି ରଖିଥିଲା। ହେଲେ ନାରାୟଣ ଚାପଗ୍ରସ୍ତ ହେବାରୁ ତା’ର ଆଚାର ଓ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। କିଛି ଦିନ ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲା। ପତ୍ନୀ ଓ ପିଲାଙ୍କ ସହ ଝଗଡ଼ା କରୁଥିଲା। ଫଳରେ ଗତ ଦୁଇ ବର୍ଷ ତଳେ ପତ୍ନୀ ପିଲାଙ୍କୁ ଧରି ବାପଘରକୁ ପଳାଇଥିଲା।

ଏହାର କିଛିଦିନ ପରେ ବ୍ୟବସାୟ ଛାଡ଼ି ନାରାୟଣ ଗାଁରେ ଏଣେ ତେଣେ ବୁଲୁଥିଲା। ଆଉ ଗାଁ ନିକଟରେ ଥିବା କେନ୍ଦୁପତ୍ର ଗୋଦାମରେ ଶୋଇ ପଡୁଥିଲା। ଯିଏ ଯାହ ଦେଉଥିଲା ତାକୁ ଖାଉଥିଲା। ସମୟେ ସମୟେ ତାଙ୍କୁ ଗାଁରେ ଦେଖିବାକୁ ମିଳୁ ନଥିଲା। ନାରାୟଣ କାଚରାରୁ ସେ ପାଲଟିଯାଇଥିଲେ ନାଣ ବାୟା। ମାନସିକ ସନ୍ତୁଳନ ହରାଇବା ପରେ ସେ ଅପରାଧ କରିବା ଆରମ୍ଭ କରିଥିଲା ବୋଲି ଅନୁମାନ କରାଯାଉଛି।

Comments are closed.