Odisha Link
Bridging the Missing Links in Odisha

କଲ୍ଲୋଳ-୨୦୧୯ ଚଳଚ୍ଚିତ୍ର ପ୍ରତିଯୋଗିତା ଉନ୍ମୋଚିତ

ଭୁବନେଶ୍ବର : କଲ୍ଲୋଳ-୨୦୧୯ ଚଳଚ୍ଚିତ୍ର ପ୍ରତିଯୋଗିତାର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଏଥିରେ ଓଡ଼ିଶାର ସ୍ବେଚ୍ଛାସେବା ସଙ୍ଗଠନ ଆଇନା ପକ୍ଷରୁ ୟୁନିସେଫ ଓଡ଼ିଶା ସହଭାଗୀତାରେ ସୁପୋଷଣ ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ସମ୍ବନ୍ଧିତ ଶିଶୁ ଅଧିକାର ସମ୍ପର୍କତି ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ଡ଼କ୍ଟର ମୋନିକା ଓ. ନିଲସନ୍‌, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ରଶ୍ମି ରଞ୍ଜନ ନାୟକ, ଅଳଙ୍କାର ଓ ତରଙ୍ଗ ମ୍ୟୁଜିକର ମୁଖ୍ୟ ଶ୍ୟାମପ୍ରସାଦ ମିଶ୍ର, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ପ୍ରମୁଖ ଏହି ଉନ୍ମୋଚନା ସଭାରେ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ସରକାଙ୍କର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଅଳଙ୍କାର ଟିଭି ଗଣମାଧ୍ୟ ସହଭାଗିତାରେ ଏହି ବର୍ଷର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୟୁନିସେଫର ଅଳକା ଗୁପ୍ତା ଓ ସୌରଭ ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ଏହି ସଭାରେ ଉପସ୍ଥିତ ଥିଲେ।
ସଭାର ମୁଖ୍ୟ ଆକର୍ଷଣ ସୁପୋଷଣ ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ଉପରେ ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର କଲ୍ଲୋଳ-୨୦୧୯ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଦରଖାସ୍ତା ଆହ୍ବାନ କରାଯାଉଛି। ଏହି ପ୍ରତିଯୋଗିତାର ବିଷୟବସ୍ତୁଗୁଡ଼ିକ ହେଲା- ବଢ଼ୁଥିବା ଶିଶୁମାନଙ୍କ ନିମନ୍ତେ ସନ୍ତୁଳିତ ଆହାର, ସୁପୋଷଣ ପ୍ରଦାନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି।
ଏହା ଆମକୁ ଅବଗତ କରାଇ ଦେଉଛି ଯେ, ଆମେ ଖାଉଥିବା ପୋଷଯୁକ୍ତ ଖାଦ୍ୟ ଆମର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରବା ସହିତ ଆମକୁ ଶକ୍ତ କରିଥାଏ ଏବଂ ସୁସ୍ଥ ରଖିଥାଏ ବୋଲି ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ଡ଼କ୍ଟର ମୋନିକା ନିଲସନ୍ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତଥାପି କିଛି ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଯାହା ସେମାନଙ୍କର ଶାରୀରିକ ଓ ମାନସିକ ବିକାଶକୁ ପ୍ରତିହତ କରିବା ସହିତ ବିଦ୍ୟାଳୟ ଓ କର୍ମକ୍ଷେତ୍ରରେ ସେମାନଙ୍କର ଦକ୍ଷତାକୁ ମଧ୍ୟ ପ୍ରତିହତ କରୁଛି। ସୁପୋଷଣ କେବଳ ଖାଦ୍ୟ ଗ୍ରହଣ କରିବା ଏବଂ ବହୁମୁଖୀ ବିଷୟବସ୍ତୁ ଠାରୁ ବହୁ ଉର୍ଦ୍ଧ୍ବରେ। କଲ୍ଲୋଳ ୨୦୧୯ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ମାଧ୍ୟମରେ ଉଚିତ୍‌ ପୋଷଣ ସମ୍ପର୍କିତ କିଛି ମହତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ।
ଏଥିରେ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ରର ଜଗତର ଛାତ୍ରଛାତ୍ରୀ, ଚଳଚ୍ଚିତ୍ର ଦକ୍ଷତା ଥିବା ସୌଖୀନ ବ୍ୟକ୍ତିବିଶେଷ, ନୂତନ ଚିନ୍ତାଧାରାର ବ୍ୟକ୍ତିବିଶେଷ କିମ୍ବା ଚଳଚ୍ଚିତ୍ର ନିର୍ମାଣରେ ଥିବା ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ନିମନ୍ତେ ଏହି ପ୍ରତିଯୋଗିତା ସଦାସର୍ବଦା ଉନ୍ମୁକ୍ତ। ପ୍ରତିଯୋଗିତା ସମ୍ପର୍କିତ ଅଧିକ ବିବରଣୀ, ସମସ୍ତ ନିୟମାବଳୀ, ବିଷୟବସ୍ତୁ ଏବଂ ପ୍ରବେଶିକା ପତ୍ର ସମ୍ବନ୍ଧିତ ସବିଶେଷ ବିବରଣୀ ପାଇଁ  ଅଂଶଗ୍ରହଣକାରିମାନେ www.aaina.org.in/kallola ଓ୍ବେବସାଇଟରେ ଲଗ ଅନ୍‌ କରିପାରିବେ। ଏହି ବିଷୟଗତ ଓ ବୈଷୟିକ କର୍ମଶାଳା ୮ ସେପ୍ଟେମ୍ବର ଦିନ ଭୁବନେଶ୍ବର ଠାରେ ଆୟୋଜିତ ହେବ। ଏହି କର୍ମଶାଳାରେ ଯୋଗଦେବାକୁ  ଥିବା ଅଂଶଗ୍ରହଣକାରୀମାନେ http://aaina.org.in/kallola/registration.asp ଓ୍ବେବସାଇଟରେ ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ।
ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଆବେଦନ ଶେଷ ତାରିଖ ୧୧ ଅକ୍ଟୋବର ପର୍ଯନ୍ତ ରହିବ । ପ୍ରତିଯୋଗିତାରେ ଶ୍ରେଷ୍ଠ ୫ଟି ଚଳଚ୍ଚିତ୍ରକୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ, ବିଚାରପତିଙ୍କ ପସନ୍ଦ ଏବଂ ଶିଶୁମାନଙ୍କ ପସନ୍ଦର ଏବଂ ଶିଶୁମାନଙ୍କ ପସନ୍ଦର ପୁରସ୍କାର ଭାବରେ ସମ୍ବର୍ଦ୍ଦିତ କରାଯିବ। ଏହି ଅବସରରେ ସ୍ନେହ ମିଶ୍ର କହିଥିଲେ ଯେ କଲ୍ଲୋଳ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟରେ ଥିବା ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ନିର୍ମାଣରେ ରୁଚି ରଖିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହା ଏକ ସଫଳ ମଞ୍ଚ ଭାବରେ ଉଭା ହୋଇଥିବା ଦେଖି ବହୁତ ଖୁସି ଲାଗୁଛି। ସୁପୋଷଣ-ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ରୁଚି ଚଳଚ୍ଚିତ୍ର ନିର୍ମାତା ଦକ୍ଷତା ଥିବା ସୌଖୀନ ବ୍ୟକ୍ତିବିଶେଷଙ୍କ ଠାରୁ କଲ୍ଲୋଳର ଏହି ପଞ୍ଚମ ସଂସ୍କରଣରେ ଆମେ ଅଧିକ ସଂଖ୍ୟକ ଉତ୍କର୍ଷ ଚଳଚ୍ଚିତ୍ରର ଆଶା ରଖୁଛୁ। ଏହି ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର କହିଥିଲେ ଯେ ପାଞ୍ଚ ବର୍ଷ ବୟସ ସୁଦ୍ଧା ଗୋଟେ ଶିଶୁର ବୁଦ୍ଧିର ବିକାଶ ଜୀବନର ଅନ୍ୟ କୌଣସି ସମୟ ଠାରୁ ଅଧିକ ହୋଇଥାଏ। ଏହା ପାଇଁ ସୁପୋଷଣ ଏକ ମହତ୍ବପୁର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଯାହା ପ୍ରତ୍ୟେକ ଶିଶୁର ଅଧିକାର ଅଟେ।

Comments are closed.