Odisha Link
Bridging the Missing Links in Odisha

ରାକ୍ଷୀ ପୂର୍ଣ୍ଣିମା: ସୁଷମା ସ୍ବରାଜ ଓ ଭେଙ୍କେୟା ନାଇଡ଼ୁଙ୍କ ଭାଇ ଭଉଣୀ ସମ୍ପର୍କ ମନେ ପଡ଼େ

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଆଉ ଆଜିର ଏହି ପବିତ୍ର ଦିନକୁ ସବୁ ଭାଇ ଭଉଣୀ ମାନେ ଚାହିଁ ବସିଥାନ୍ତି। ହେଲେ ଆଉ ରାକ୍ଷୀ ପୂର୍ଣ୍ଣିମାରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ଅନୁପସ୍ଥିତକୁ ଅନୁଭବ କରିବେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାରଣ ସବୁ ବର୍ଷ ସୁଷମା ତାଙ୍କ ହାତରେ ରାଖି ବାନ୍ଧୁଥିଲେ। କିନ୍ତୁ ଏଥର ଆଉ ବାନ୍ଧିପାରିବେ ନାହିଁ। କାରଣ ଅଗଷ୍ଟ ୬ ତାରିଖରେ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିଲା।

ଏ ଘଟଣାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଭେଙ୍କେୟା ନାଇଡୁ। ଏଥର ମଧ୍ୟ ସୁଷମା ରାକ୍ଷୀ ବାନ୍ଧିବାକୁ ଉପ-ରାଷ୍ଟ୍ରପତିଙ୍କ ଘରକୁ ଯାଇଥା’ନ୍ତେ। ଏ ନେଇ ସେ ଫୋନ୍‌ କରି କହି ସାରିଥିଲେ। ଆଜି ସୁଷମାଙ୍କୁ ମନେ ପକାଇ ରାଜ୍ୟସଭାରେ ନିଜେ ଉପ-ରାଷ୍ଟ୍ରପତି ଏକଥା କହିଥିଲେ। ସେ କହିଥିଲେ,“ ସୁଷମା ସବୁଥର ମୋ ହାତରେ ରାକ୍ଷୀ ବାନ୍ଧନ୍ତି। ଏଥର ବି ସେ ମୋତେ ରାଖି ବାନ୍ଧି ଥାଆନ୍ତେ। ସେ ଫୋନ୍ କରି ଏ ବିଷୟରେ ମୋତେ ଜଣାଇଥିଲେ। ସେ କହିଥିଲେ, ଆପଣ ଉପ-ରାଷ୍ଟ୍ରପତି ହୋଇଗଲେଣି। ତେଣୁ ଆଉ ମୋ ଘରକୁ ରାକ୍ଷୀ ବାନ୍ଧିବାକୁ ଆସିବା ଦରକାର ନାହିଁ। ମୁଁ ନିଜେ ରାକ୍ଷୀ ବାନ୍ଧିବାକୁ ଯିବି।”

ସୂଚନାଥାଉକି, ଦୁହେଁ ଖୁବ୍ ବଡ଼ ନେତା। କିନ୍ତୁ ଯେତେବେଳେ ଏକାଠି ହୁଅନ୍ତି ଭାଇ-ଭଉଣୀ ଭଳି କଥା ହୁଅନ୍ତି। ଦୁହେଁ ପରସ୍ପରକୁ ଖୁବ୍ ସମ୍ମାନ କରୁଥିଲେ। ସୁଷମା ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ବେଳେ ଭାରତୀୟ ପରମ୍ପରା ଅନୁଯାୟୀ ମୁଣ୍ଡରେ ଓଢ଼ଣି ଦେବାକୁ ଭୁଲୁ ନଥିଲେ।

Comments are closed.