Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ବିଦ୍ବେଷ, ଭିଡିଓ ଭାଇରାଲ

ସମ୍ବଲପୁର: ଓଡ଼ିଆ ଭାଷାର ଆଦ୍ୟ ବ୍ୟାକରଣ ପୁସ୍ତକ ଭାବେ ପରିଚିତ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’କୁ କେହି ଦୁର୍ବୃତ୍ତ ପୋଡ଼ିଛନ୍ତି। ବର୍ଷେ ତଳର ଏ ଭିଡିଓଟି ଏବେ କୋସଲି ଭାଷାକୁ ପ୍ରୋତ୍ସାହନ ଦେଉଥିବା କିଛି ଅନୁଷ୍ଠାନ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।

‘ବେନି’ ନାମକ ଏକ ୟୁ-ଟ୍ୟୁବ୍‌ ପେଜରେ Madhu Barnabodh burnt in Kosal ନାମରେ ଭିଡିଓଟା ୨୦୧୮ ଅଗଷ୍ଟ ୨୬ ତାରିଖରେ ପୋଷ୍ଟ କରାଯାଇଥିଲା। କୋସଲି ସାହିତ୍ୟ ଡଟ୍‌ ଇନ୍‌ ନେମକ ଏକ ସଂଗଠନ ଆଜି ଏହି ଭିଡିଓଟି ନିଜର ଫେସବୁକ୍‌ ପେଜରେ ଛାଡ଼ିଛନ୍ତି। କବି ହଳଧର ନାଗଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବେ ବ୍ୟବହାର କରିଥିବା ଏହି ସଂଗଠନ ଭିଡିଓ ସହ ‘କୋସଲରେ କୋସଲି ଚଲବା, ଉଡିଆ ନାଇଁ’ ବୋଲି ଉଲ୍ଲେଖ କରିଛନ୍ତି।

ଓଡ଼ିଶା ଭିତରେ ଓଡ଼ିଆ ଭାଷା ପ୍ରତି ଏଭଳି ବିଦ୍ବେଷ ଓ ବର୍ଣ୍ଣବୋଧ ପୋଡ଼ାଯିବା ଭଳି ହୀନ କାର୍ଯ୍ୟକୁ ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ଅଞ୍ଚଳ ନିର୍ବିଶେଷରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

‘ଆମେ ହଳଧର ନାଗଙ୍କୁ ନେଇ ଗର୍ବ କରୁଥିବା ବେଳେ ସେମାନେ ଭାଷାକୁ ନେଇ ଏତେ ସଂକୀର୍ଣ୍ଣ କାହିଁକି’ ବୋଲି ଜଣେ ଫେସବୁକ୍‌ ବ୍ୟବହାରକାରୀ ମତ ରଖିଛନ୍ତି। ଅନ୍ୟପଟେ ତାଙ୍କ ଫଟୋ ବ୍ୟବହାର କରାଯାଇଥିଲେ ବି ଏ ଭଳି ହୀନ ଘଟଣା ବାବଦରେ ହଳଧର ନାଗ କିଛି ଜାଣନ୍ତି ନାହିଁ ବୋଲି ତାଙ୍କର ଜଣେ ସ୍ତାବକ ମତ ରଖିଛନ୍ତି। ବର୍ଣ୍ଣବୋଦ ପୋଡ଼ିବା ଆଗରୁ ଦମ୍ ଅଛି ଯଦି ଆଗେ ନିଜର ‘ବର୍ଣ୍ଣ’ ବନାଅ ବୋଲି ଅନ୍ୟ ଜଣେ ବୁଦ୍ଧିଜୀବୀ ମନ୍ତବ୍ୟ ରଖିଛନ୍ତି।

Comments are closed.