Odisha Link
Bridging the Missing Links in Odisha

ଜଷ୍ଟିସ ବି.ପି ଦାସ ଓଏଚଆରସି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ର ଅଧ୍ୟକ୍ଷଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତ କରାଯାଇଛି। ସୋମବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଧ୍ୟକ୍ଷ ପଦ ପାଇଁ ୩ ଜଣ ଅବସରପ୍ରାପ୍ତ ବିଚାରପତି ଓ ଆଇନଜୀବୀଙ୍କ ଭିତରୁ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ନାମକୁ ଏକ ନମ୍ବର ସ୍ଥାନରେ ରଖାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ସୁପାରିସ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ସଂସ୍କାର କମିସନର ଜଣିକିଆ ଅଧ୍ୟକ୍ଷ ଥିଲେ ଜଷ୍ଟିସ ଦାସ। ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଜଷ୍ଟିସ ଦାସ କରିଥିବା ସୁପାରିସ ଅନୁଯାୟୀ ଏବେ ସରକାର ପୁରୀ ଶ୍ରୀମନ୍ଦିର ଚାରିପଟୁ ନିର୍ମାଣ ଉଚ୍ଛେଦ କରିବା କାମ ଆରମ୍ଭ କରିଛନ୍ତି।
ସେହିପରି ରାଜ୍ୟ ମାନବାଧିକାର କମିଶନର ସଦସ୍ୟଭାବେ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କୁ ନିଯୁକ୍ତ କରାଯାଇଛି। ଉଭୟଙ୍କ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ ଅନୁମୋଦନ କରିଛନ୍ତି।
ଓଏଚଆରସିର ସଦସ୍ୟ ପଦ ପାଇଁ ୩ ଜଣ ଆଇନ ବିଶାରଦଙ୍କ ନାମ ଉପରେ କମିଟି ବିଚାର କରିଥିଲା। ଚୟନ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଗୃହ ବିଭାଗର ଅଧିକାରୀଙ୍କ ସମେତ ୪ ଜଣ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.