ରାତିରେ ଟୋଲଗେଟ୍ ଯାଞ୍ଚ ବେଳେ ଧରାପଡ଼ିଲେ ୧୦ ଜଣ ମଦ୍ୟପ ଚାଳକ

ଭୁବନେଶ୍ବର : ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଗାଡି ଚାଳକଙ୍କ ଉପରେ ପଡୁଥିବା ଫାଇନ ଚଡକ, ଏବେ ଟୋଲଗେଟ୍ ଦେଇ ଯାତାୟତ କରୁଥିବା ଗାଡି ଚାଳକଙ୍କ ଉପରେ ପଡିଛି। ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଟୋଲଗେଟରେ ଯାଞ୍ଚ କଡାକଡି ହୋଇଛି। ସଂଧ୍ୟା ୬ଟାରୁ ୧୨ଟା ଯାଏଁ ଏହି ଯାଞ୍ଚ ଚାଲିଥିବାବେଳେ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁ ପରିମାଣର ଫାଇନ ଆଦାୟ କରାଯାଉଛି।
ଗତକାଲି ରାତିରେ ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କଡାକଡି ଯଞ୍ଚ ହୋଇଥିଲା। ଏହି ସମୟରେ ୪ଜଣ ମଦ୍ୟପ ଡ୍ରାଇଭରଙ୍କ ସମେତ ବହୁ ଟ୍ରାଫିକ ଉଲ୍ଲଂଘନକାରୀ ପୋଲିସ ହାବୁଡରେ ପଡି ମୋଟା ଅଙ୍କର ତଣ୍ଡ ଗଣିଥିବା ଜଣା ପଡ଼ିଛି। ବ୍ରେଥ ଆନାଲାଇଜର ସାହାଜ୍ୟରେ ମଦୁଆ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଥିଲା। କଟର ଗ୍ରାମଞ୍ଚଳ ଏସପି ରାଧା ବିନୋଦ ପାଣିଗ୍ରାହୀ, ଚୌଦ୍ୱାର ଏସପି ପ୍ରଶାନ୍ତ କୁମାର ମଲ୍ଲ, ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକ ଓ ଜୁନିୟର ଏମଭିଆଇ ମଳୟ କୁମାର ପୃଷ୍ଟି ଟୋଲଗେଟରେ ଉପସ୍ଥିତ ରହି ଏହି ଯାଞ୍ଚ ପ୍ରକ୍ରିୟାକୁ ପରିଚାଳନା କରିଥିଲେ।
ସେପଟେ ଗତକାଲି ରାତିରେ ଯାଜପୁରର ପାଣିକୋଇଲି ଟୋଲଗଟେରେ ମଧ୍ୟ ଯାଞ୍ଚକୁ କଡାକଡି କରାଯାଇଥିଲା। ପୋଲିସ ଓ ଆରଟିଓ ପକ୍ଷରୁ ନିୟମ ଖିଲାପକାରୀଙ୍କ ବିରୋଧରେ ଫାଇନ ଆଦାୟ କରାଯାଇଥିଲା। ପୋଲିସ ପକ୍ଷରୁ ମୋଟ୍ ୧୫ ହଜାର ୫ଶହ ଟଙ୍କା ଏବଂ ଆରଟିଓ ପକ୍ଷରୁ ୫୪ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି। ସେହିପରି ସୁନ୍ଦରଗଡ ରାଜଗାଙ୍ଗପୁରରେ ମଧ୍ୟ ରାତି ଅଧିଆ ଟୋଲଗେଟରୁ ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତେବେ ସବୁଠାରୁ ବଡକଥା ହେଉଛି ରାଜଗାଙ୍ଗପୁର ଲାଇଙ୍ଗି ଟୋଲଗେଟରେ ୧୦ଜଣ ନିୟମ ଖିଲାପକାରୀଙ୍କୁ ଅଟକ ରଖିଛି ପୋଲିସ। ଏମାନଙ୍କୁ କୋର୍ଟରେ ହାଜର କରି ଜେଲ ହାଜତକୁ ପଠାଇ ଦିଆଯାଇପାରେ ବୋଲି ଜଣାପଡିଛି।