Odisha Link
Bridging the Missing Links in Odisha

ନିରଞ୍ଜନଙ୍କୁ ଅଣ୍ଡାମାଡ଼ ହେବ: ଇତୀଶ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୁଆଡେ଼ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ। ଏଭଳି ଖୋଲାଖୋଲି ଧମକ ଦେଇଛନ୍ତି ଛାତ୍ର କଂଗ୍ରେସରୁ ନିଲମ୍ବିତ ହୋଇଥିବା ଇତୀଶ ପ୍ରଧାନ।

ସେ କହିଛନ୍ତି ଯେ,ଏ ନିଲମ୍ବନକୁ ମୁଁ ଗ୍ରହଣ କରୁନାହିଁ। ମୋ ନିଲମ୍ବନ ବିଷୟରେ ଏନଏସୟୁଆଇ ସଭାପତି ଜାଣିନାହାନ୍ତି। ଯିଏ ନିଲମ୍ବନ କରିଛନ୍ତି ତାଙ୍କର ନିଲମ୍ବନ କରିବାର ଅଧିକାର ନାହିଁ। ମୋତେ ଛାତ୍ର କଂଗ୍ରେସରୁ ନିଲମ୍ବନ କରାଯାଇଛି। କିନ୍ତୁ କଂଗ୍ରେସ ନୁହେଁ। ଶାସକ ଦଳ ସହ ମିଶି ଯିଏ କଂଗ୍ରେସର କ୍ଷତି କରିଛନ୍ତି, ସେମାନଙ୍କ ମୁଖା ଖୋଲାଯିବ। ନିରଞ୍ଜନ ଯୁଆଡେ଼ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଇତୀଶ ଧମକ ଦେଇଛନ୍ତି।
ପ୍ରକାଶ ଯେ, ଗୁରୁବାର ନୂଆଦିଲ୍ଲୀରେ ଏଆଇସିସି ବୈଠକ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଇତୀଶ ଯୁଦ୍ଧଂଦେହୀ ଡାକରା ଦେଇଥିଲେ। ଇତୀଶ ଏକ ସାମ୍ବାଦିକ ସମ୍ମିଳନୀରେନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିବା ସହ ଚ୍ୟାଲେଞ୍ଜ କରିଥିଲେ।
ଖାଲି ଚ୍ୟାଲେଞ୍ଜ କରିନାହାନ୍ତି ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଚେତବାନୀ ଦେଇଥିଲେ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଥିଲେ। ସେହିପରି ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି। ପୁଅ ମାଧ୍ୟମରେ ବେପାର କରୁଛନ୍ତି। ଏହାକୁ ସହ୍ୟ କରାଯିବନି ବୋଲି ଇତୀଶ କହିଥିଲେ।
ତେବେ ପିସିସି ସଭାପତିଙ୍କ ବିରୋଧରେ କହିବା ଇତୀଶଙ୍କୁ ମହଙ୍ଗା ପଡ଼ିଥିଲା। ଗତକାଲି ତାଙ୍କୁ ଏନଏସୟୁଆଇରୁ ନିଲମ୍ବନ କରାଯାଇଥିଲା। ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ ମୋଥା ରୋହିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଥିଲେ। ଏଭଳି ନିଷ୍ପତି ଇତୀଶଙ୍କୁ ଯେତିକି ଝଟକା ଦେଇନାହିଁ, ତାଙ୍କୁ ଆଗରେ ରଖି ପଛରୁ ଗୋଟି ଚାଳନା କରୁଥିବା କଂଗ୍ରେସର କେତେକ ବରିଷ୍ଠ ନେତାଙ୍କୁ ଜୋରଦାର ଝଟକା ଲାଗିଛି ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି।

Comments are closed.