Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରି ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଏଥି ସହିତ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି। କେନ୍ଦ୍ର ସରକାର ଉଡାନ ଯୋଜନା ମାଧ୍ୟମରେ ଆଂଚଳିକ ସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି। ଏହାସହ ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ।

ଏଠାରେ ସୂଚନା ଥାଉ କି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏ ବାବଦରେ ଚିଠି ଲେଖିଥିଲେ। ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଏୟାରଲାଇନ୍ସକୁ ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ କରିବା ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ ଯେ ରାଜ୍ୟରେ ଶିଳ୍ପ ପାଇଁ ପୁଞ୍ଜି ନିବେଶ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବାରୁ ରାଜ୍ୟ ଭିତରୁ ଦୁବାଇ ଓ ମଧ୍ୟପ୍ରାଚ୍ୟ ଦେଶକୁ ଯାତାୟତ ବୃଦ୍ଧି ପାଇଛି। ଅନ୍ୟପଟେ ସେସବୁ ଦେଶରୁ ବହୁ ଲୋକ ଓଡ଼ିଶା ଆସୁଛନ୍ତି। ଏହାକୁ ଲକ୍ଷ୍ୟ ରଖି ଅନେକ ଅନ୍ତର୍ଜାତୀୟ ବିମାନ କମ୍ପାନି ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା ଆରମ୍ଭ କରିବାକୁ ଆଗ୍ରହ ଦେଖାଇଛନ୍ତି। ହେଲେ ବିମାନ ଅବତରଣ ଜନିତ ଅନୁମତି ନଥିବାରୁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ କରିପାରୁନାହାନ୍ତି।

ଖାଲି ସେତିକି ନୁହେଁ, ଯଦିଓ ଭୁବନେଶ୍ବରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଏୟାର ଇଣ୍ଡିଆ ନୂଆଦିଲ୍ଲୀ ଭାୟା ହୋଇ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଉଛି ଏହାଦ୍ବାରା କିନ୍ତୁ ପ୍ରକୃତ ସମସ୍ୟାର ସମାଧାନ ହେଉନି। ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଭୁବନେଶ୍ବର- ଦୁବାଇ ମଧ୍ୟରେ ବହୁ ଯାତ୍ରୀ ଯାତାୟତ କରୁଥିବାରୁ ଏହି ରୁଟ୍‌ରେ ସିଧା ବିମାନ ଉଡ଼ାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

Comments are closed.