Odisha Link
Bridging the Missing Links in Odisha

ଆଜି ଅନ୍ତିମ ଟି-୨୦ ମ୍ୟାଚ୍, କ୍ଲିନସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ଟ୍ବେଣ୍ଟି-୨୦ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ସିରିଜ ବିଜୟ ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ଶୃଙ୍ଖଳା ବଞ୍ଚାଇବାର ଏହା ଶେଷ ସୁଯୋଗ ହେବ। ତୃତୀୟ ଟ୍ବେଣ୍ଟି-୨୦ରେ ପୁନର୍ବାର ଘରୋଇ ପ୍ରଶଂସକଙ୍କ ନଜର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତଙ୍କ ଉପରେ ରହିବ। ପନ୍ତ ବିଗତ କିଛି ମ୍ୟାଚ୍‌ରେ ଆଶାଜନକ ପ୍ରଦର୍ଶନ କରି ପାରିନାହାନ୍ତି। ସେଥିପାଇଁ ତାଙ୍କୁ ୪ ନମ୍ବର ସ୍ଥାନରେ ଖେଳାଇବା ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ୨୧ ବର୍ଷୀୟ ପନ୍ତଙ୍କୁ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ସମର୍ଥନ କରିଛନ୍ତି। ତେବେ ଏକାଧିକ ପୂର୍ବତନ କ୍ରିକେଟର ତାଙ୍କ ସଟ୍ ଚୟନକୁ ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି।

ଚିନ୍ନାସ୍ବାମୀ ଷ୍ଟାଡିୟମର ଛୋଟ ପଡ଼ିଆ ପାଇଁ ଭାରତ ଆସନ୍ତାକାଲି ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖେଳାଇପାରେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ସ୍ପିନର ଭଲ କରୁଥିବାରୁ ବୋଲିଂ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ରାହୁଲ ଚହରଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଭାରତ ମଧ୍ୟ ଅପରିବର୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇପାରେ। ‌ତେବେ ଆସନ୍ତାବର୍ଷର ବିଶ୍ବକପ୍‌କୁ ଆଖି ଆଗରେ ରଖି କିଛି ଯୁବ ତାରକାଙ୍କୁ ମଧ୍ୟ ଏଥିରେ ସୁଯୋଗ ମିଳିପାରେ। ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହେବା ପରେ ମୋହାଲି ମୁକାବିଲାକୁ ଭାରତ ସହଜରେ ୭ ୱିକେଟ୍‌ରେ ଜିତି ନେଇଥିଲା। ବେଙ୍ଗାଲୁରୁରେ ମଧ୍ୟ ବିରାଟ ବାହିନୀ ମୋହାଲି ସଫଳତାକୁ ଦୋହରାଇବା ଆଶାରେ ରହିବ।

ବିଶ୍ବକପ୍‌ ଏବଂ ତା’ ପରଠୁ ଦୁର୍ବଳ ପ୍ରଦର୍ଶନ କରି ଆସୁଥିବା ଦକ୍ଷିଣ ଆଫ୍ରିକା ରବିବାର ଆଉ ଏକ କଠୋର ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଅଧିକ ବିକଳ୍ପ ନଥିଲେ ମଧ୍ୟ ଏହି ଦଳ ନିଜ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ଦୁଇଟି ଅଦଳ ବଦଳ କରିପାରେ। ଦ୍ବିତୀୟ ମ୍ୟାଚ୍‌ରେ ଅପରାଜିତ ଅର୍ଧଶତକ ଅର୍ଜନ କରି ‌ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭଲ କରୁଥିବାରୁ ଏହା ମଧ୍ୟ ଦକ୍ଷିଣ ଆଫ୍ରିକାର ଚିନ୍ତା ବଢ଼ାଇବ।

Comments are closed.