Odisha Link
Bridging the Missing Links in Odisha

ବୋହୂକୁ ଘୋଷାଡ଼ି ମାରିବା ଘଟଣା: ବନ୍ଧା ହେଲେ ଶାଶୂ, ଶ୍ୱଶୁର, ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗ୍ରାମରେ ପାରିବାରିକ କଳହରୁ ବୋହୂକୁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରିବା ସଂପୃକ୍ତ ପରିବାର ପାଇଁ ମହଙ୍ଗା ହୋଇଛି। ବୋହୂଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମକଦ୍ଦମା ରୁଜୁ କରିଛି। ଘଟଣାରେ ପୁଲିସ ଅଭିଯୁକ୍ତ ଶ୍ୱଶୁର, ଶାଶୂ ସମେତ ସ୍ୱାମୀକୁ ଗିରଫ କରିଛି।
ସୂଚନା ଅନୁସାରେ, କୁଆଖିଆ ଥାନା ଶ୍ରୀବନ୍ତପୁର ପଞ୍ଚାୟତ ଭଣ୍ଡାରିପଡ଼ା ଗ୍ରାମର ମଦନ ପରିଡ଼ାଙ୍କ ଝିଅ ସଞ୍ଜନା ଓରଫ ମୀନା ୨୦୧୬ ମସିହା ଜୁନ୍‌ ମାସରେ କୋରେଇ ଥାନା ଧନେଶ୍ୱର ଗ୍ରାମର ନବୀନ ବେହେରାଙ୍କ ପୁଅ ଗଣେଶ୍ୱରକୁ ବିବାହ କରିଥିଲେ। ଝିଅ ଘର ଅତ୍ୟନ୍ତ ଗରିବ ହୋଇଥିବାରୁ ବିବାହ ସମୟରେ ନିଜ ସକ୍ଷମ ଅନୁସାରେ ଯୌତୁକ ପ୍ରଦାନ କରିଥିଲେ। ଯୌତୁକରେ ଗଣେଶ୍ୱରଙ୍କ ପରିବାର ଖୁସି ନଥିଲେ। ବାହାଘରର ଏକ ବର୍ଷ ସାମାନ୍ୟ ଭଲରେ କଟିଥିଲା ଓ ଏହି ସମୟ ମଧ୍ୟରେ ମୀନାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଆରମ୍ଭ ହୋଇଥିଲା ମୀନାଙ୍କ ଉପରେ ନିର୍ଯାତନା। ଦିନକୁ ଦିନ ଘଟଣା ଉଗ୍ରରୂପ ଧାରଣ କରିଥିଲା। ଘଟଣା ଅସହ୍ୟ ହେବାରୁ ମୀନା ବିଷ ପିଇ ଆତ୍ମହତ୍ୟା କରିବାକୁ ଚାହିଁଥିଲା। ମୀନା ଗୁରୁତର ହେବା ପରେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ନେଇ ଯିବାରୁ ସେ ମରଣମୁଖରୁ ବର୍ତ୍ତି ଯାଇଥିଲେ। ଏହାକୁ ନେଇ ମୀନାଙ୍କ ପରିବାର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ କରିବା ସହିତ ଗ୍ରାମ ଭଦ୍ରଲୋକଙ୍କ ମାଧ୍ୟମରେ ଆପୋଷ ସମାଧାନ ହୋଇଥିଲା। ଗତକାଲି ସକାଳେ ଗଣ୍ୱେଶ୍ୱର ପ୍ରଥମେ ମୀନାଙ୍କୁ ମାଡ଼ ମାରିଥିଲା। ପରେ ଶାଶୂ, ଶ୍ୱଶୁର ଓ ସ୍ୱାମୀ ତିନିଜଣ ମିଶି ମୀନାଙ୍କୁ ପିଟିଥିଲେ। ମୀନା ଜୀବନ ବଞ୍ଚାଇବା ପାଇଁ ରାସ୍ତାକୁ ଦୌଡ଼ି ପଳାଇ ଆସିଥିଲେ। ତାଙ୍କ ପଛେପଛେ ଶାଶୂ ଓ ଶ୍ୱଶୁର ବାଡ଼ି ଧରି ରାସ୍ତାକୁ ଚାଲିଆସିଥିଲେ। ରାସ୍ତା ମଝିରେ ମୀନାର ଚୁଟି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ। ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ସୋସିଆଲ ମିଡିଆରେ ଏହାକୁ ଦେଖି ଏସ୍‌ପି ଚରଣ ସିଂ ମୀନା ତୁରନ୍ତ ତଦନ୍ତ ପାଇଁ କୋରେଇ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମହାନ୍ତି ଧନେଶ୍ୱର ଗ୍ରାମକୁ ଯାଇ ନିର୍ଯାତିତା ମୀନାଙ୍କ ସହ ଆଲୋଚନା କରିବା ପରେ ଅଭିଯୁକ୍ତ ଶ୍ୱଶୁର ଓ ସ୍ୱାମୀକୁ ଥାନାକୁ ଡାକି ପଚରାଉଚରା କରିଥିଲେ। ମୀନା ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ସଂପର୍କରେ କହିବା ସହ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁର ନବୀନ, ଶାଶୂ ଶାନ୍ତିଲତା ଓ ସ୍ୱାମୀ ଗଣେଶ୍ୱରକୁ କୋର୍ଟ ଚାଲାଣ କରିଛି।

Comments are closed.