Odisha Link
Bridging the Missing Links in Odisha

ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ୪ ଓଡ଼ିଆ

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ପ୍ରକାଶିତ ହୋଇଛି ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା। ଗତବର୍ଷ ମଧ୍ୟ ଏହି ସୂଚୀରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ବ ସ୍ଥାନ ପାଇଥିଲେ। କିନ୍ତୁ ଏଥର ସେହି ୨ ବ୍ୟକ୍ତିତ୍ବଙ୍କ ବ୍ୟତିତ ଆଉ ୨ ଓଡ଼ିଆ ସାମିଲ ହୋଇଛନ୍ତି। ସେହି ୪ ଓଡ଼ିଆ ହେଲେ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ, ପ୍ରମୋଦ ମିଶ୍ର ଏବଂ ଶକ୍ତିକାନ୍ତ ଦାସ।

କ୍ରମାଗତ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ତାଲିକାରେ ୩୯ତମ ସ୍ଥାନରେ ଅଛନ୍ତି। ହେଲେ ଗତଥର ପ୍ରକାଶିତ ତାଲିକାରେ ନବୀନଙ୍କ ପଛରେ ଥିବା ଧର୍ମେନ୍ଦ୍ର ପ୍ରଧାନ ୧୪ତମ ସ୍ଥାନରେ ଅଛନ୍ତି।

ସେହିପରି ଓଡ଼ିଶାର ସମ୍ବଲପୁରରେ ଜନ୍ମିତ ଆଇଏଏସ୍ ଅଧିକାରୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଏହି ତାଲିକାରେ ୧୯ ତମ ସ୍ଥାନରେ ଅଛନ୍ତି। ଜାତୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ୟତମ ଓଡ଼ିଆ ଅଧିକାରୀ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୯ତମ ସ୍ଥାନରେ ଦେଖିବାକୁ ମିଳିଛନ୍ତି।

ସୂଚନାଥାଉକି, ଏହି ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ତାଙ୍କ ପଛକୁ ଯଥାକ୍ରମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ ରହିଛନ୍ତି।

Comments are closed.