Odisha Link
Bridging the Missing Links in Odisha

ଭାରତୀୟ ବଜାରରେ ଘାତକ ଚାଇନା ବାଣ, ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଆଉ ପର୍ବପର୍ବାଣିକୁ ନଜରରେ ରଖି ବଜାରରେ ମିଳୁଛି ଭଳିକି ଭଳି ବାଣ। ଅପରପକ୍ଷେ ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା ଏବେ ନୂଆ ଯୋଜନା ଆରମ୍ଭ କରିଛି। ଏଥିପାଇଁ ବେଆଇନ୍‌ ଭାବେ ଚାଇନା ପକ୍ଷରୁ ଅତ୍ୟନ୍ତ ଘାତକ ବାଣ ଭାରତ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ଆଗକୁ ଭାରତରେ ଦୀପାବଳି ଥିବାରୁ ଚାଇନା ବ୍ୟବସାୟୀମାନେ ଏଭଳି ଘାତକ ଓ ବିଷାକ୍ତ ବାଣକୁ ଭାରତକୁ ପଠାଉଛନ୍ତି ବୋଲି ଆଜି ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଡିଆରଆଇ ପକ୍ଷରୁ ଚାଇନାର ଏହି ଷଡ଼ଯନ୍ତ୍ର ସମ୍ପର୍କରେ ଗୁଇନ୍ଦା ସଂସ୍ଥା ଓ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯାଇଛି। ସୂତ୍ର ଅନୁସାରେ, ଚାଇନାର ଘାତକ ବାଣ ଦ୍ୱାରା କେବଳ ପରିବେଶ ପ୍ରଦୂଷଣ ହେବନାହିଁ। ବରଂ ଏହା ସାଧାରଣ ବାଣ ତୁଳନାରେ ପ୍ରଚଣ୍ଡ ଶବ୍ଦ କରିବ। ଏହି ବାଣରେ ରେଡ୍‌ ଲିଡ୍‌, କପର ଅକ୍ସାଇଡ୍‌ ଓ ଲିଥିୟମ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ଯାହାଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ଡିଆରଆଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, “ବିଦେଶ ଶିଳ୍ପ ପଲିସି’ ଦ୍ୱାରା ବାଣ ଆମଦାନୀ ଉପରେ ରୋକ ଲଗାଇଯାଇଛି। ବିଦେଶ ଶିଳ୍ପ ପଲିସିର ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ବିଦେଶରୁ ବାଣ ଆମଦାନୀ ହୋଇପାରିବ। କିନ୍ତୁ ଏବେ ଜଣାପଡ଼ିଛି ଯେ ବେଆଇନ୍‌ ଭାବେ ଚାଇନାର ଘାତକ ବାଣ ଭାରତକୁ ଆସିବାରେ ଲାଗିଛି। ବାଣ ଗୁଡ଼ିକର ମାନ ପରୀକ୍ଷା ହେବା ପରେ ଏହାକୁ ବଜାର ପ୍ରବେଶର ଅନୁମତି ମିଳେ। କିନ୍ତୁ ଚାଇନାର ଘାତକ ବାଣ ବେଆଇନ୍‌ ଭାବେ ବିନା କୌଣସି ଅନୁମତିରେ ଭାରତରେ ପ୍ରବେଶ କରିବା ଆରମ୍ଭ କରିଛି।

ଡିଆରଆଇର ଏହି ସତର୍କ ସୂଚନା ପରେ ବିଦେଶରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ଏବେ ତୀକ୍ଷ୍ଣ ନଜର ରଖାଯାଇଛି। ଏଥିସହ ଚାଇନା ବାଣ ବିକ୍ରି ହେବାର ଆଶଙ୍କା ଥିବା ମାର୍କେଟ ଗୁଡ଼ିକରେ ମଧ୍ୟ ତଦନ୍ତକାରୀ ସଂସ୍ଥା ଚାନଭିନ୍‌ ଆରମ୍ଭ କରିଦେଇଛନ୍ତି। ଭାରତୀୟଙ୍କୁ କ୍ଷତି ପହଞ୍ଚାବା ପାଇଁ ଚାଇନା ଏଭଳି ରଣନୀତି କରିଥିବା ସାଧାରଣରେ କୁହାଯାଉଛି।

Comments are closed.